ରାଜଧାନୀର ଦୁଇ କରୋନା ଆକ୍ରାନ୍ତଙ୍କୁ ନେଇ ବିଏମ୍ସି ଓ ସ୍ୱାସ୍ଥ୍ୟ ବିଭାଗର ମୁଣ୍ଡବିନ୍ଧା ବଢିଯାଇଛି । ସହରରେ ଏବେ ମୋଟ ୧୧ଟି ଆକ୍ଟିଭ୍ କେଶ୍ ରହିଛି । ଏଥିରୁ ୯ ଜଣଙ୍କ ଟ୍ରାଭେଲ୍ ହିଷ୍ଟ୍ରି ମିଳିଛି । କିନ୍ତୁ ଆଉ ୨ ଜଣଙ୍କ ଟ୍ରାଭେଲ୍ ହିଷ୍ଟ୍ରି ମିଳୁନାହିଁ । ଏଥିପାଇଁ ସମସ୍ତେ ଚିନ୍ତାରେ ପଡି ଯାଇଛନ୍ତି ।
ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ବୁଧବାର ଏହି ସୂଚନା ଦେଇଛନ୍ତି । ତାଙ୍କ ସୂଚନା ଅନୁସାରେ, ଭୁବନେଶ୍ୱରରେ ଏବେ ୧୧ ଆକ୍ଟିଭ୍ କେସ୍ ଥିବାବେଳେ ଆମେ ୯ ଜଣଙ୍କ ଟ୍ରାଭେଲ୍ ହିଷ୍ଟ୍ରି ପାଇଛୁ । ସେମାନଙ୍କ ଆଖପାଖରେ ଥିବା ପ୍ରାୟ ୪୦ ରୁ ୫୦ ପରିବାରକୁ ମଧ୍ୟ ହୋମ୍ କ୍ୱାରେଣ୍ଟାଇନ୍ରେ ରଖାଯାଇଛି । ସଂପୃକ୍ତ ଅଞ୍ଚଳରେ ସର୍ଭେଲାନ୍ସ ଚାଲିଛି । ଘରକୁ ଘର ବୁଲି ସର୍ଭେ କରାଯାଉଛି । କାହାର ଲକ୍ଷଣ ଥିଲେ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଉଛି ।

ପ୍ରତିଦିନ ୩୦୦ ରୁ ୪୦୦ ଲୋକଙ୍କୁ ପରୀକ୍ଷା କରାଯାଉଛି ।
କ୍ୟାପିଟାଲ ହସ୍ପିଟାଲ ଓ ଅନ୍ୟ କିଛି ସ୍ଥାନରେ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଉଛି । ତେବେ ସହରରେ ଏବେ ଆଉ କୌଣସି ସ୍ଥାନକୁ କଣ୍ଟେନମେଣ୍ଟ୍ ଜୋନ୍ରେ ରଖାଯାଇନି ବୋଲି ସେ ସ୍ପଷ୍ଟ କରିଛନ୍ତି । କିନ୍ତୁ ଆଉ ୨ ଜଣଙ୍କ ଟ୍ରାଭେଲ୍ ହିଷ୍ଟ୍ରି ନେଇ କମିଶନର କୌଣସି ସୂଚନା ଦେଇନାହାନ୍ତି । ଏହି ୨ଜଣ ସ୍ଥାନୀୟ ସଂକ୍ରମିତ କି କାହା ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି, ତାର ତନାଘନା ଚାଲିଛି ବୋଲି ଜଣାପଡିଛି ।
ସେପଟେ ପଞ୍ଜିକରଣ କରି ରାଜଧାନୀକୁ ଆଜିସୁଦ୍ଧା କେତେ ଲୋକେ ଫେରିଛନ୍ତି ଓ କ୍ୱାରେଣ୍ଟାଇନ୍ରେ ଅଛନ୍ତି, ତାର ତଥ୍ୟ ମଧ୍ୟ ଦେଇଛନ୍ତି କମିଶନର ଶ୍ରୀଚୌଧୁରୀ । ରାଜଧାନୀକୁ ଫେରିବାକୁ ଆଜିସୁଦ୍ଧା ମୋଟ ୧୦ ହଜାର ୬୬୧ ଜଣ ପଞ୍ଜିକରଣ କରିଛନ୍ତି । ଏଥିରୁ ୨,୧୬୮ ଜଣ ଫେରିଲେଣି । ଯେତିକି ଲୋକେ ଫେରିଛନ୍ତି ସେମାନଙ୍କ ଭିତରୁ ୧,୨୯୭ ଜଣ ହୋମ୍ କ୍ୱାରେଣ୍ଟାଇନ୍ରେ ଅଛନ୍ତି ।
ଏବେ ୫୬ ଜଣ ବିଭିନ୍ନ ସରକାରୀ କ୍ୱାରେଣ୍ଟାଇନ୍ ଓ ୪୬ ଜଣ ପେଡ୍ କ୍ୱାରେଣ୍ଟାଇନ୍ରେ ଅଛନ୍ତି । ୩୦୦ ରୁ ଅଧିକ କ୍ୱାରେଣ୍ଟାଇନ୍ ସାରି ଘରକୁ ଫେରିଲେଣି ବୋଲି ସେ ସୂଚନା ଦେଇଛନ୍ତି । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ, ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।