ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍ ଛକରେ ଥିବା ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ୍ ଶାଖା (ପିଏନ୍ବି)ରେ ୩୨ କୋଟି ଟଙ୍କାର ଠକେଇ ହୋଇଛି । ବ୍ୟାଙ୍କ୍ର କିଛି କର୍ମଚାରୀ ଓ ଗ୍ଲୋବାଲ୍ ଟ୍ରେଡିଂ ସଲ୍ୟୁସନ୍ସ ସଂସ୍ଥାର କର୍ମଚାରୀ ମିଶି ଏହି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି । ଏନେଇ ସିବିଆଇ ପିଏନ୍ବି ବ୍ୟାଙ୍କ୍ର ୪ ଜଣ ବରିଷ୍ଠ ଅଧିକାରୀ ଓ ଗ୍ଲୋବାଲ୍ ଟ୍ରେଡିଂ ସଲ୍ୟୁସନ୍ସ ଏମ୍ଡିଙ୍କ ସମେତ ୪ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି । ବ୍ୟାଙ୍କର ୪ ଅଧିକାରୀଙ୍କ ଘରେ ସିବିଆଇ ଚଢ଼ଉ କରିଛି । ଓଡ଼ିଶାର କଟକ, ଭୁବନେଶ୍ୱର ଓ ଆନ୍ଧ୍ରର ବିଶାଖାପାଟଣା, ଜମ୍ମୁ ଓ କୋଲକାତାରେ ସିବିଆଇ ଚଢ଼ଉ କରିଛି । ଚଢ଼ଉ ସମୟରେ ଅନେକ କାଗଜପତ୍ର ଜବତ କରାଯାଇଛି । ୮ ଅଭିଯୁକ୍ତଙ୍କ ବିରୋଧରେ ଠକେଇ, ଫୌଜଦାରୀ, ଦୁର୍ନୀତି ନିବାରଣ ଆଇନ ଧାରା-୧୩ (୨)/୧୩(୧) (ଡି)ରେ ମାମଲା ରୁଜୁ ହୋଇଛି ।

ସିବିଆଇ କାର୍ଯ୍ୟାଳୟ ସୂଚନା ମୁତାବକ, ଗ୍ଲୋବାଲ୍ ଟ୍ରେଡିଂ ସଲ୍ୟୁସନ୍ସ ସଂସ୍ଥାର ବରିଷ୍ଠ ଅଧିକାରୀମାନେ କ୍ୟାସ୍ କ୍ରେଡିଟ୍, ବିଲ୍ ଡିସ୍କାଉଣ୍ଟ୍, ଲେଟର ଅଫ କ୍ରେଡିଟ୍ ଜରିଆରେ ବ୍ୟାଙ୍କ୍ରୁ ଟଙ୍କା ଠକିବା ଯୋଜନା କରିଥିଲେ । ଏଥିପାଇଁ ବ୍ୟାଙ୍କ୍ କର୍ମଚାରୀଙ୍କ ସହଯୋଗ ନିହାତି ଆବଶ୍ୟକ ଥିଲା । ଗ୍ଲୋବାଲ୍ ଟ୍ରେଡିଂ ସଲ୍ୟୁସନ୍ସର ଏମ୍ଡି ଅବିନାଶ ମହାନ୍ତି ଏ ବିଷୟରେ ବ୍ୟାଙ୍କ୍ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ପରେ ଲୁଟିବା ପାଇଁ ଆରମ୍ଭ କରିଥିଲେ ଯୋଜନା । ୨୦୧୦ରୁ ୨୦୧୫ ମସିହା ମଧ୍ୟରେ ପିଏନ୍ବି ବ୍ୟାଙ୍କର ବରିଷ୍ଠ ଅଧିକାରୀଙ୍କ ସହଯୋଗରେ ୩୧ କୋଟି ୯୨ ଲକ୍ଷ ୬୯ ହଜାର ଟଙ୍କା ଠକେଇ କରିଥିଲେ । ଫଳରେ ବ୍ୟାଙ୍କ୍କୁ ବଡ଼ କ୍ଷତି ହୋଇଥିଲା ।
ଏଥିରେ କିଛି ବ୍ୟାଙ୍କ୍ କର୍ମଚାରୀ ଅନେକ ମୁନାଫା ପାଇଥିଲେ । ପାଣ୍ଠି ଦେବା ପୂର୍ବରୁ ଏହି କମ୍ପାନୀର କାଗଜପତ୍ରକୁ ବ୍ୟାଙ୍କ୍ ଅଧିକାରୀମାନେ ଠିକ୍ ଭାବେ ଯାଞ୍ଚ କରି ନଥିଲେ । କମ୍ପାନୀର କାରବାର ସମ୍ପର୍କରେ ମଧ୍ୟ ଜାଣିବାକୁ ପ୍ରୟାସ କରି ନଥିଲେ। ସେପଟେ ଯେଉଁ ଉଦ୍ଦେଶ୍ୟ ପାଇଁ ବ୍ୟାଙ୍କ୍ରୁ ପାଣ୍ଠି ନିଆ ଯାଇଥିଲା ତାକୁ ମଧ୍ୟ ସେହି କାର୍ଯ୍ୟରେ ବ୍ୟବହାର କରିନଥିଲେ । କମ୍ପାନୀ କର୍ତ୍ତୃପକ୍ଷ ବେଆଇନ୍ ଭାବେ ଉକ୍ତ ପାଣ୍ଠିକୁ ନିଜର ସହଯୋଗୀ ସଂସ୍ଥାଗୁଡ଼ିକୁ ହସ୍ତାନ୍ତର କରିଥିଲେ।
ଅଡିଟ୍ ସମୟରେ ୩୨ କୋଟି ଟଙ୍କାର ଠକେଇ ଧରାପଡ଼ିଲେ

କିଛି ଦିନ ତଳେ ଅଡିଟ୍ ସମୟରେ ଏ ବିଷୟରେ ଜାଣିବାକୁ ପାଇଥିଲେ ମଣ୍ଡଳ ମୁଖ୍ୟ ଗଣପତି ଲାଲ୍ । ଏନେଇ ସିବିଆଇ ଭୁବନେଶ୍ୱର କାର୍ଯ୍ୟାଳୟରେ ସେ ଏତଲା ଦେଇଥିଲେ । ସିବିଆଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ସିବିଆଇ ଜାଣିବାକୁ ପାଇଥିଲା ଲୁଇସ୍ ରୋଡରେ ବ୍ୟବସାୟ ପରିଚାଳନା କରୁଥିବା ଗ୍ଲୋବାଲ୍ ଟ୍ରେଡିଂ ସଲ୍ୟୁସନ୍ସ ସଂସ୍ଥା ଲୁହା ପଥର ରପ୍ତାନୀ ଓ ଅନ୍ୟାନ୍ୟ କାରବାର ସହ ଜଡିତ ରହିଛି । ଏହି ସଂସ୍ଥା ଦେଶ, ବିଦେଶକୁ ଲୁହାପଥର ରପ୍ତାନି କରୁଛି । ସିଙ୍ଗାପୁରର ଏକ କମ୍ପାନୀ ସହ ବ୍ୟାବସାୟିକ ସମ୍ପର୍କ ସ୍ଥାପନ ପରେ ସେଠାରୁ ଫରେନ୍ ଲେଟର ଅଫ୍ କ୍ରେଡିଟ୍ ହାସଲ୍ କରିଥିଲା । ସେହି ଲେଟର୍ ଅଫ୍ କ୍ରେଡିଟ ଜରିଆରେ ମାଷ୍ଟର କ୍ୟାଣ୍ଟିନ୍ ଛକରେ ଥିବା ପିଏନ୍ବି ଶାଖାରୁ ଠକେଇ କରିଛନ୍ତି ।
ଏବେ ସିବିଆଇ ୮ ଜଣଙ୍କ ବିରୋଧରେ ମାମଲା ରୁଜୁ କରୁଛି । ସେମାନେ ହେଲେ ମାଷ୍ଟର କ୍ୟାଣ୍ଟିନ୍ ଛକ ପିଏନ୍ବି ଶାଖାରେ କାର୍ଯ୍ୟ କରିଥିବା ପୂର୍ବତନ ଚିଫ୍ ମ୍ୟାନେଜର ନାଗମଣି ସତ୍ୟନାରାୟଣ ପ୍ରସାଦ, ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର ଏସ୍.ସି ଶର୍ମା, ଚିଫ୍ ମ୍ୟାନେଜର ମନୋରଞ୍ଜନ ଦାଶ ଓ ସିନିୟର ମ୍ୟାନେର ପ୍ରିୟତୋଷ ଦାସ । ସେହିଭଳି ଗ୍ଲୋବାଲ୍ ଟ୍ରେଡିଂ ସଲ୍ୟୁସନ୍ସର ଏମ୍ଡି ଅବିନାଶ ମହାନ୍ତି, ପୂର୍ବତନ ନିର୍ଦ୍ଦେଶକ କୌଶିକ ମହାନ୍ତି ଓ ଅଂଶୁମାନ ସାମନ୍ତରାୟ ଏବଂ ନିର୍ଦ୍ଦେଶକ ବିଧୁଭୂଷଣ ନାୟକଙ୍କ ବିରୋଧରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି । ମାମଲା ଦାୟର ହେବା ଜାଣି ସଂସ୍ଥା ମୁଖ୍ୟ ଅବିନାଶ ସମେତ ଅନ୍ୟମାନେ ଫେରାର ହୋଇଯାଇଛନ୍ତି । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ, ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।