ରଜର ଠିକ୍ ଦିନଟେ ପୂର୍ବରୁ କଟକବାସୀଙ୍କୁ ଡରାଇଛି କରୋନା । ଜିଲ୍ଲାରେ କରୋନା ପଜିଟିଭ୍ ସଂଖ୍ୟା ରେକର୍ଡ କରିଛି । ଦିନକରେ ୯୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିରେ ନିଶ୍ଚିନ୍ତକୋଇଲି ବ୍ଲକ୍ରୁ ୪୩ ଜଣ ଏବଂ ନରସିଂହପୁର ବ୍ଲକ୍ରୁ ୨୬ଜଣ ଆକ୍ରାନ୍ତ ରହିଛନ୍ତି । ସେହିପରି ନିଆଳିରୁ ୧୧, ମାହାଙ୍ଗାରୁ ୫, ଡମପଡ଼ାରୁ ୪ଜଣ ଓ କଟକ ସହରରୁ ଜଣେ ପ୍ରବାସୀଙ୍କଠାରେ କରୋନା ସଂକ୍ରମଣ ଦେଖାଯାଇଥିବା ରିପୋର୍ଟ ମିଳିଛି । ଅଧିକାଂଶ ଆକ୍ରାନ୍ତ ପ୍ରବାସୀ ଓ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହୁଥିଲେ । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମାହାଙ୍ଗାରୁ ଚିହ୍ନଟ ହୋଇଥିବା ପଜିଟିଭ୍ଙ୍କ ମଧ୍ୟରେ ଜଣେ କ୍ୱାରେଣ୍ଟାଇନ୍ ସେଣ୍ଟର ଜଗୁଥିବା ସିକ୍ୟୁରିଟି ଗାର୍ଡ ବି ରହିଛନ୍ତି । ଆଜିର ସଂଖ୍ୟାକୁ ମିଶାଇ କଟକ ଜିଲ୍ଲାରେ କରୋନା ପଜିଟିଭ୍ ସଂଖ୍ୟା ୩୫୯ ରେ ପହଞ୍ଚିଛି ।

ସପ୍ତାହକ ଭିତରେ ଜିଲ୍ଲାରୁ ଦୁଇଶହରୁ ଅଧିକ ପଜିଟିଭ୍ ବାହାରିବା ଜିଲ୍ଲା ପ୍ରଶାସନ ପାଇଁ ଏବେ ଚିନ୍ତାର କାରଣ ପାଲଟିଛି । ଯଦିଓ ଏଥିରୁ ମାତ୍ର ୩ଜଣଙ୍କୁ ଛାଡ଼ିଲେ ଅନ୍ୟ ସମସ୍ତେ ବାହାର ରାଜ୍ୟ ଫେରନ୍ତା ଏବଂ କ୍ୱାରେଣ୍ଟାଇନ୍ରେ ରହୁଥିଲେ, ତଥାପି ଦିନକୁ ଦିନ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ କଟକ କରୋନାର ହଟ୍ ସ୍ପଟ୍ ପାଲଟିବା ଆଶଙ୍କା ସୃଷ୍ଟି ହୋଇଛି । ସ୍ଥାନୀୟ ସଂକ୍ରମଣ ନେଇ ଆଶଙ୍କା ମଧ୍ୟ ସୃଷ୍ଟି ହେଲାଣି । ସପ୍ତାହକ ତଳେ ସିଡିଏ ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରରୁ ଦୁଇ ଜଣ ସ୍ଥାନୀୟ ଲୋକ କରୋନା ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଥିଲେ । ଯଦିଓ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ୮୮ ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିବାରୁ ସାମାନ୍ୟ ଆଶ୍ୱସ୍ତି ପ୍ରକାଶ ପାଇଲା ।

କଟକ ଜିଲ୍ଲାରୁ ୯୨ ପଜିଟିଭ୍ ଚିହ୍ନଟ ।
ଆଜି ମାହାଙ୍ଗା ବ୍ଲକ୍ରୁ ପୁଣି ଜଣେ ସ୍ଥାନୀୟ ଲୋକଙ୍କଠାରେ ସଂକ୍ରମଣ ଦେଖାଯାଇଛି । ଚୌଧୁରୀ ରାଧାନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ଟିଏମ୍ସିରେ ଜଣେ ସିକ୍ୟୁରିଟି ଗାର୍ଡ କରୋନା ପଜିଟିଭ୍ ଥିବା ଜଣାପଡିଛି । ଏହାକୁ ଲୋକାଲ୍ କେସ୍ ବା ସ୍ଥାନୀୟ ସଂକ୍ରମଣ କୁହାଯାଉଛି । ପଜିଟିଭ୍ ବାହାରିବା ପରେ ସିକ୍ୟୁରିଟି ଗାର୍ଡ ଜଣଙ୍କର କଣ୍ଟାକ୍ଟ ଟ୍ରେସିଂ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ଜିଲ୍ଳା ପ୍ରଶାସନର ଏକ ସ୍ୱତନ୍ତ୍ର ଟିମ୍ ନିୟୋଜିତ ହୋଇଛନ୍ତି ।
ସେହିପରି ହୋମ୍ କ୍ୱାରେଣ୍ଟାଇନ୍ରେ ରହି ପଜିଟିଭ୍ ବାହାରିବା ମଧ୍ୟ ଉଦ୍ବେଗଜନକ ବୋଲି କୁହାଯାଉଛି । ଏହା ଗୋଷ୍ଠୀ ସଂକ୍ରମଣର ଲକ୍ଷଣ ବୋଲି ଆଶଙ୍କା କରାଯାଉଥିବାରୁ ପ୍ରଶାସନ ଏ ଦିଗରେ ସତର୍କ ହେବା ଜରୁରି ହୋଇପଡିଛି । ଆଜି ନିଶ୍ଚିନ୍ତକୋଇଲି ବ୍ଲକ୍ରେ ୪ଜଣ ହୋମ୍ କ୍ୱାରେଣ୍ଟାଇନ୍ରେ ରହୁଥିବା ପ୍ରବାସୀଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ସେହିପରି ସାଲେପୁର ନାନ୍ଦୋଳ କ୍ୱାରେଣ୍ଟାଇନ୍ରୁ ଘରକୁ ଫେରି ହୋମ୍ କ୍ୱାରେଣ୍ଟାଇନ୍ରେ ରହୁଥିବା ଜଣେ ପ୍ରବାସୀଙ୍କ ରିପୋର୍ଟ ପଜିଟିଭ୍ ଆସିଛି ।

କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହିବା ବେଳେ ତାଙ୍କର ସ୍ୱାବ୍ ପରୀକ୍ଷା କରାଯାଇଥିଲା । ଏହାପରେ ସେ ଘରକୁ ଫେରିଥିଲେ । ପରେ ପ୍ରଶାସନ ତରଫରୁ ତାଙ୍କୁ ପୁଣି ଡାକି ଦ୍ୱିତୀୟ ଥର ସ୍ୱାବ୍ ପରୀକ୍ଷା କରାଯିବା ପରେ ପଜିଟିଭ୍ ଆସିଛି । ହୋମ୍ କ୍ୱାରେଣ୍ଟାଇନ୍ରେ ରହିବା ଅବସ୍ଥାରେ ସଂପୃକ୍ତ ବ୍ୟକ୍ତିମାନେ ପ୍ରକୃତରେ କୋଭିଡ୍ ସତର୍କତା ଅବଲମ୍ବନ କରିଛନ୍ତି କି ନାହିଁ ତାହା ମଧ୍ୟ ପ୍ରଶାସନ ଜାଣିନାହିଁ । ଯଦି ସତର୍କତା ମାନିନଥିବେ ତେବେ ପରିସ୍ଥିତି ଆଗକୁ ଯେ ଅଧିକ ଭୟଙ୍କର ନହେବ ସେ କଥା କିଏ କହିବ? ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ, ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।