ବ୍ୟୁରୋ ରିପୋର୍ଟ: ଗତ କିଛି ମାସ ହେବ ଏସିଆ କପ ୨୦୨୩ କୁ ନେଇ ବିବାଦ ଜୋର ଧରିଥିଲା। ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଏସିଆ କପ ପାକିସ୍ତାନରେ ହେବାର ଥିଲା। କିନ୍ତୁ ଭାରତୀୟ ଦଳ ପାକିସ୍ତାନ ଖେଳିବାକୁ ଯିବ ନାହିଁ ବୋଲି ମନା କରି ସାରିଛି। ତେବେ ବର୍ତ୍ତମାନ ପାକିସ୍ତାନ ହାତରୁ ଏସିଆ କପ ଆୟୋଜନ କରିବାର ଅଧିକାର ଚାଲି ଯାଉଥିବା ଭଳି ମନେ ହେଉଛି।
ଏସିଆ କପର ମେଜବାନୀକୁ ନେଇ ଫେବୃୟାରୀ ୪ ତାରିଖକୁ ଏସିଆନ କ୍ରିକେଟ କାଉନ୍ସିଲ ଦ୍ୱାରା ଏକ ମିଟିଙ୍ଗ ରଖା ଯାଇଥିଲା ଯେଉଁଥିରେ ବିସିସିଆଇ ସଚିବ ଜୟ ଶାହା ଏବଂ ପାକିସ୍ତାନ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ନଜମ ସେଠୀ ସାମିଲ ହୋଇଥିଲେ କିନ୍ତୁ ଏସିଆ କପ କେଉଁଠି ହେବ ସେ ନେଇ କୌଣସି ନିଷ୍ପତ୍ତି ନିଆ ଯାଇ ନଥିବା ବେଳେ ଆଉ ଏକ ମିଟିଙ୍ଗ ମାର୍ଚ୍ଚ ମାସରେ ହେବାକୁ ଯାଉଛି ଯେଉଁଥିରେ ଏହି ସମ୍ପର୍କରେ ଶେଷ ନିଷ୍ପତ୍ତି ନିଆଯିବ।
ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଏସିଆ କପ ସେପ୍ଟେମ୍ବର ମାସରେ ହେବାକୁ ଯାଉଛି ଏବଂ ଏହାକୁ ପାକିସ୍ତାନ ଆୟୋଜନ କରିବାର ଅଛି। କିନ୍ତୁ ରିପୋର୍ଟ ଅନୁସାରେ, ପାକିସ୍ତାନ ଏହାକୁ ଆୟୋଜନ କରି ନ ପାରେ। କାରଣ ବିସିସିଆଇ ସଚିବ ଏହି କଥା ରଖିଛନ୍ତି ଯେ, ଭାରତୀୟ ଦଳ ଏସିଆ କପ ପାଇଁ ପାକିସ୍ତାନ ଗସ୍ତ କରିବ ନାହିଁ।
ତେବେ ସୂଚନା ମୁତାବକ ଏହାର ଆୟୋଜନ ଶ୍ରୀଲଙ୍କା ଏବଂ ୟୁଏଇରେ କରାଯାଇପାରେ। ଗତ ବର୍ଷ ୨୦୨୨ ଏସିଆ କପ ସମସ୍ତ ମ୍ୟାଚ ୟୁଏଇରେ କରା ଯାଇଥିଲା।
ସେହିପରି ରିପୋର୍ଟ ଅନୁସାରେ, ପିସିବି ଅଧ୍ୟକ୍ଷ କହିଛନ୍ତି ଯେ, ଯଦି ଭାରତୀୟ ଦଳ ଏସିଆ କପ ପାଇଁ ଭାରତ ନ ଆସେ, ତେବେ ପାକିସ୍ତାନ ଦଳ ମଧ୍ଯ ଆଗାମୀ ଦିନିକିଆ ବିଶ୍ଵକପ ପାଇଁ ଭାରତ ଗସ୍ତ କରିବ ନାହିଁ।
ମାର୍ଚ୍ଚ ମାସରେ ହେବାକୁ ଥିବା ମିଟିଙ୍ଗ ପରେ ପାକିସ୍ତାନ ସରକାର ଏହା ନିଷ୍ପତ୍ତି ନେବେ ଯେ, ପାକିସ୍ତାନ ଦଳ ବିଶ୍ଵକପ ଖେଳିବା ଲାଗି ଭାରତ ଯିବ କି ନାହିଁ। ଆଗକୁ ଦିନିକିଆ ବିଶ୍ଵକପ ଖେଳା ଯିବାକୁ ଥିବାରୁ ଏସିଆ କପକୁ ଦିନିକିଆ ଫର୍ମାଟରେ ଆୟୋଜନ କରାଯାଉଛି। ଏହା ଦ୍ୱାରା ପ୍ରତ୍ୟେକ ଦଳର ଭଲ ଭାବରେ ଅଭ୍ୟାସ କରି ପାରିବେ।