ପ୍ରାୟ ଦଶ ମାସ ତଳେ ଭାରତୀୟ ବୋଲରମାନେ ଗୋଟିଏ ୱିକେଟ ନେବା କଷ୍ଟସାଧ୍ୟ ହୋଇ ପଡୁଥିଲା। କିନ୍ତୁ ଏସିଆ କପର ପାକିସ୍ତାନ ବିପକ୍ଷ ମ୍ୟାଚରେ ସମସ୍ତ ବୋଲର ସମ୍ପୂର୍ଣ୍ଣ ପାକିସ୍ତାନ ଖେଳାଳିଙ୍କ ୧୦ ଟି ଯାକ ୱିକେଟ ଅତି ସହଜରେ ନେଇ ଯାଇଥିଲେ। ଆଶ୍ଚର୍ଯ୍ୟର କଥା ଯେ ସମସ୍ତ ଦ୍ରୁତ ବୋଲର ହିଁ ୧୦ ଟି ଯାକ ୱିକେଟ ନେଇଛନ୍ତି। ଏପରି ଭାରତୀୟ ଦ୍ରୁତ ବୋଲର ଟି-ଟ୍ୱେଣ୍ଟିରେ ପ୍ରଥମ ଥର ପାଇଁ କରିଛନ୍ତି। ଏହା ପୂର୍ବରୁ ଭାରତୀୟ ସ୍ପିନର ୱେଷ୍ଟ ଇଣ୍ଡିଜ ବିପକ୍ଷରେ ସମସ୍ତ ୧୦ ଟି ଯାକ ୱିକେଟ ନେଇଥିଲେ। ପାକିସ୍ତାନ ବିପକ୍ଷ ମ୍ୟାଚରେ ବୁମରା ଏବଂ ସାମୀଙ୍କ ଯୋଡି ଯାହା କରି ପାରି ନଥିଲେ ତାହା ଭୁବନେଶ୍ୱର କୁମାର ଏକା କରି ଦେଖାଇଛନ୍ତି।

ପୂର୍ବ ବର୍ଷ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଭାରତ ତରଫରୁ ମହମ୍ମଦ ସାମୀ ଏବଂ ଯଶପ୍ରୀତ ବୁମରା ଖେଳୁଥିଲେ। କିନ୍ତୁ ଏହି ମ୍ୟାଚରେ ସାମୀ ୩.୫ ଓଭରରେ ୪୩ ରନ ଏବଂ ବୁମରା ୩ ଓଭରରେ ୨୨ ରନ ଦେଇଥିଲେ। ଉଭୟ ଏହି ମ୍ୟାଚରେ ୱିକେଟ ନେବାକୁ ସମର୍ଥ ହୋଇ ନଥିଲେ। ଏହି ମ୍ୟାଚକୁ ପାକିସ୍ତାନ ୧୦ ୱିକେଟ ରେ ଜିତି ନେଇଥିଲା। କିନ୍ତୁ ପ୍ରାୟ ୧୦ ମାସ ପରେ ଭାରତୀୟ ଯୁବ ବୋଲିଂ ଦଳ ଭୁବନେଶ୍ୱର କୁମାରଙ୍କ ସହ ମିଶି ଅତି ସହଜରେ ପାକିସ୍ତାନ ଦଳର ସମସ୍ତ ୧୦ ଟି ୱିକେଟ ନେଇ ଯାଇଥିଲେ। ଭୁବନେଶ୍ୱର କୁମାର ୪ ଟି, ହାର୍ଦିକ ପାଣ୍ଡ୍ୟା ୩ ଟି, ଅର୍ଶଦୀପ ୨ ଟି ଏବଂ ଅଭେସ ଖାନ ଗୋଟିଏ ୱିକେଟ ନେଇଥିଲେ।
ଏହି ମ୍ୟାଚ ପୂର୍ବରୁ ଏହି କଥା ଉଠୁଥିଲା ଯେ, ଭାରତୀୟ ଦଳରେ ବୁମରା ଏବଂ ସାମୀଙ୍କ ଅନୁପସ୍ଥିତି ପ୍ରଭାବିତ ହେବ କିନ୍ତୁ ଭୁବନେଶ୍ୱର କୁମାର ଏବଂ ଅନ୍ୟ ଭାରତୀୟ ଯୁବ ବୋଲରଙ୍କ ଚତୁର ବୋଲିଂ ଶୈଳୀ ଭାରତକୁ ଜିତାଇବାରେ ସକ୍ଷମ ହୋଇଥିଲା। ଭୁବନେଶ୍ୱର କୁମାର ଦଳର ମୁଖ୍ୟ ବୋଲର ଭାବରେ ଅତି ସୁନ୍ଦର ବୋଲିଂ କରି ମୂଲ୍ୟବାନ ୱିକେଟ ସବୁ ନେଇଥିଲେ। ସେମାନଙ୍କ ବୋଲିଂ ଯଶପ୍ରୀତ ବୁମରାଙ୍କ ଠାରୁ ଧୀର ଅଟେ। କିନ୍ତୁ ଉଚିତ ବୋଲିଂ ଶୈଳୀ ଏବଂ ପ୍ଲାନ ଦ୍ୱାରା ଭାରତୀୟ ଦଳ ପାକିସ୍ତାନ ଦଳର ସମସ୍ତ ୱିକେଟ ନେବାକୁ ସକ୍ଷମ ହୋଇଥିଲେ।

ଅନ୍ତର୍ଜାତୀୟ କ୍ରିକେଟରେ ଭୁବନେଶ୍ୱର କୁମାରଙ୍କ ଶର୍ଟ ବଲ ମହମ୍ମଦ ସାମୀ ଏବଂ ଯଶପ୍ରୀତ ବୁମରାଙ୍କ ଭଳି ଦ୍ରୁତ ଏବଂ ଉଚ୍ଚା ନୁହେଁ। କିନ୍ତୁ ତାଙ୍କ ବଲରେ ସ୍ୱିଙ୍ଗ ରହିଥାଏ। ଯେଉଁଥିରେ ସେ ୱିକେଟ ହାସଲ କରିଥାଆନ୍ତି। କିନ୍ତୁ ପାକିସ୍ତାନ ବିପକ୍ଷ ମ୍ୟାଚରେ ସେ ସ୍ୱିଙ୍ଗ ସହ ଶର୍ଟ ବଲ ବ୍ୟବହାର କରିଥିଲେ ଯାହାଦ୍ୱାରା ସେ ବାବର ଆଜାମଙ୍କୁ ଆଉଟ କରିଥିଲେ।
ସେ ନୂଆ ବଲରେ ସ୍ୱିଙ୍ଗ କରିବା ସହିତ ପରିସ୍ଥିତି ଏବଂ ପିଚ ଅନୁସାରେ ୟର୍କର, କଟର, ସ୍ଲୋଅର ବଲ, ନକଲ ବଲ ମଧ୍ୟ ପକାଇ ପାରନ୍ତି। ଏହା ସହିତ ବଲକୁ ଭିତରକୁ ଏବଂ ବାହାରକୁ ଉଭୟ ଦିଗକୁ ସ୍ୱିଙ୍ଗ କରି ପାରନ୍ତି। କେଉଁ ଉଇକେଟରେ କେଉଁ ଭଳି ସିମରେ ବୋଲିଂ କରିବା ଆବଶ୍ୟକ ତାହା ତାଙ୍କୁ ଭଲ ଭାବରେ ଜଣା।

ଜଣେ ବୋଲର ଅଧିକ ପ୍ରକାରର ବୋଲିଂ କରିବା ଦ୍ୱାରା ସେ ନିଜର ପ୍ରକୃତ ଲାଇନ ହରାଇ ବସନ୍ତି। କିନ୍ତୁ ଭୁବନେଶ୍ୱର କୁମାର ଅଧିକ ପରୀକ୍ଷା କରନ୍ତି ନାହିଁ। ସେ ଉପଯୁକ୍ତ ପରିସ୍ଥିତି ଦେଖି ସେ ସୀମିତ ଭାବରେ ନିଜର ଠିକ ଲାଇନରେ ବୋଲିଂ କରନ୍ତି। ଯାହାଦ୍ୱାରା ସେ ୱିକେଟ ନେବାରେ ସକ୍ଷମ ହୁଅନ୍ତି। ଏହି ବର୍ଷ ୧୭ ଟି ଟି-ଟ୍ୱେଣ୍ଟି ମ୍ୟାଚରେ ସେ ୨୩ ଟି ୱିକେଟ ନେଇଛନ୍ତି। ଏହା ମଧ୍ୟରେ ଦୁଇ ଥର ୪ ଟି ୱିକେଟ ନେଇଛନ୍ତି।