ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ଜଣେ ପ୍ରମୁଖ ବିଶେଷଜ୍ଞ ଭାରତକୁ ଚେତାବନୀ ଦେଇ କହିଛନ୍ତି ଲକ୍ଡାଉନ୍ ହଟିଲେ ଭାରତରେ କରୋନା ସଂକ୍ରମଣ ଉଦ୍ବେଗଜନକ ଭାବେ ବଢିପାରେ । ସେ କହିଛନ୍ତି ଭାରତରେ କରୋନା ମହାମାରୀକୁ ନେଇ ସ୍ଥିତି ଏବେ ବିସ୍ଫୋରକ ରୂପ ନେଇ ନାହିଁ । ମାତ୍ର ଦେଶ ଏବେ ଲକ୍ଡାଉନ୍ ହଟାଇବା ଦିଗରେ ବଢୁଥିବାରୁ କରୋନା ସଂକ୍ରମଣ ବଢିବାର ବିପଦ ରହିଛି। ଡବ୍ଲ୍ୟୁଏଚଓର ସ୍ଵାସ୍ଥ୍ୟ ଜରୁରୀକାଳୀନ କାର୍ଯ୍ୟକ୍ରମର କାର୍ଯ୍ୟକାରୀ ନିର୍ଦ୍ଦେଶକ ମିଶେଲ ରିୟାନ ଶୁକ୍ରବାର ଏହା କହିଛନ୍ତି ।
ରିୟାନ ଜେନେଭାରେ କହିଛନ୍ତି, ଭାରତର ବିଭିନ୍ନ ଅଞ୍ଚଳରେ ମହାମାରୀର ପ୍ରଭାବ ଅଲଗା ଅଲଗା ରହିଛି । ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ମଧ୍ୟରେ ସ୍ଥିତିରେ ଫରକ ରହିଛି । ଦକ୍ଷିଣ ଏସିଆରେ କେବଳ ଭାରତ ନୁହେଁ ଅନ୍ୟ ଜନବହୁଳ ଦେଶ ବାଂଲାଦେଶ ଓ ପାକିସ୍ତାନରେ ମଧ୍ୟ ମହାମାରୀ ବିସ୍ଫୋରକର ରୂପ ନେଇ ନାହିଁ । ରିୟାନ କହିଛନ୍ତି ଯେବେ ମହାମାରୀ ଉତ୍ପନ ହୁଏ ଏବଂ ସମୁଦାୟରେ ନିଜର ସ୍ଥିତି ମଜବୁତ କରି ନିଏ ତେବେ ଏହା ନିଜର ପ୍ରକୋପ ବିସ୍ତାର କରିଥାଏ । ଏମିତି ସ୍ଥିତି ଅନେକ ଦେଶରେ ଦେଖିବାକୁ ମିଳିଛି । ସେ କହିଛନ୍ତି, ଭାରତରେ ଦେଶବ୍ୟାପୀ ଲକ୍ଡାଉନ୍ ପରି ପଦକ୍ଷେପ ସଂକ୍ରମଣ ବ୍ୟାପିବାର ଗତିକୁ କମ୍ କରି ଦେଇଛି । ମାତ୍ର ଦେଶରେ ଗତିବିଧି ଆରମ୍ଭ ହେବା ସହିତ ବିପଦ ଲାଗି ରହିଛି ।

ରିୟାନ କହିଛନ୍ତି ଭାରତରେ ଗତିବିଧି ଆରମ୍ଭ ହେବା, ଲୋକଙ୍କ ଗମନାଗମନ ପୁଣି ଥରେ ଆରମ୍ଭ ହେବା ପରେ ମହାମାରୀର ପ୍ରକୋପ ଅଧିକ ହେବାର ବିପଦ ରହିଛି । ଭାରତରେ ବଡ ସ୍ତରରେ ପଳାୟନ, ସହରାଞ୍ଚଳରେ ଘନ ଜନ ବହୁଳ ତଥା ଶ୍ରମିକଙ୍କୁ ପ୍ରତିଦିନ କାମରେ ଯିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନଥିବା ପରି ଅନେକ ପ୍ରସଙ୍ଗ ରହିଛି । ଭାରତ କୋଭିଡ୍-୧୯ ମହାମାରୀ ମାମଲାରେ ଇଟାଲୀକୁ ପଛରେ ପକାଇ ଦୁନିଆର ଷଷ୍ଠ ସବୁଠୁ ଅଧିକ ପ୍ରଭାବିତ ଦେଶରେ ପରିଣତ ହୋଇଛି ।
ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଶନିବାର ଦେଶରେ ଗୋଟିଏ ଦିନରେ ସର୍ବାଧିକ ମାମଲା ସାମ୍ନାକୁ ଆସିଛି । ୯,୮୮୭ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୯୪ ଜଣଙ୍କ ପ୍ରାଣହାନୀ ଘଟିଛି । ଦେଶରେ ଅଦ୍ୟାବଧି ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨,୩୬,୬୫୭ ରହିଛି । ମହାମାରୀରେ ମୃତକଙ୍କ ସଂଖ୍ୟା ୬,୬୪୨ ରେ ପହଞ୍ଚିଛି । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ, ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।