ଶ୍ରୀଲଙ୍କା ବିପକ୍ଷରେ ଏସିଆ କପ ଟି-ଟ୍ୱେଣ୍ଟି ଟୁର୍ଣ୍ଣାମେଂଟର ପ୍ରଥମ ମ୍ୟାଚରେ ୫୯ ଟି ବଲ ଥାଇ ପ୍ରଭାବଶାଳୀ ବିଜୟ ହାସଲ କରିବା ପରେ ଆଫଗାନିସ୍ତାନ ଅଧିନାୟକ ମହମ୍ମଦ ନବୀ କହିଛନ୍ତି ଯେ, ଏହା ଦ୍ବାରା ଦଳର ମନୋବଳ ବୃଦ୍ଧି ହେବ। ଆଫଗାନିସ୍ତାନ ଦଳ ଶ୍ରୀଲଙ୍କା ଦଳକୁ ୧୦୫ ରନରେ ସୀମିତ ରଖି ଦେଇଥିଲା। ଏହାପରେ ଆଫଗାନିସ୍ତାନ ଦଳ ମାତ୍ର ୧୦.୧ ଓଭରରେ ୨ ଟି ୱିକେଟ ହରାଇ ରନ ଚେସ କରି ଦେଇଥିଲେ।

ମ୍ୟାନ ଅଫ ଦି ମ୍ୟାଚ ହୋଇଥିବା ଫଜଲହକ ଫାରୁକି(୧୧ ରନରେ ତିନୋଟି ୱିକେଟ) ପ୍ରଥମ ଓଭରରେ ଦୁଇଟି ୱିକେଟ ନେଇ ଶ୍ରୀଲଙ୍କା ଦଳର ବ୍ୟାଟିଂକ୍ରମ ଓଲଟାଇଦେଇଥିଲେ। ଅଧିନାୟକ ମହମ୍ମଦ ନବୀ ପୁରସ୍କାର ବିତରଣ ସମୟରେ ନିଜ ବୋଲରଙ୍କ ପ୍ରଶଂସା କରି କହିଥିଲେ ଯେ, “ଆମ ଦଳର ପେସ ବୋଲର ବହୁତ ଚମତ୍କାର ପ୍ରଦର୍ଶନ କରିଥିଲ ବିଶେଷ କରି ଫାରୁକି। ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ଠିକ ଥିଲା। ଯୋଜନା ଅନୁସାରେ ବୋଲିଂ କରିଥିବାରୁ ସଫଳତା ମିଳିଥିଲା।”
ସେ ଏକଥା ମଧ୍ୟ କହିଥିଲେ ଯେ,” ଯଦି ଆମ ବୋଲରଙ୍କ ସ୍ୱିଙ୍ଗ ମିଳେ ତେବେ ଆମେ ଆକ୍ରମଣାତ୍ମକ ଖେଳିବାକୁ ପସନ୍ଦ କରୁ। ଆମର ବ୍ୟାଟ୍ସମ୍ୟାନ୍ ମାନେ ଅତି ସୁନ୍ଦର ବ୍ୟାଟିଂ କରି ଦଳର ବିଜୟକୁ ଅଧିକ ସହଜ କରି ଦେଲେ।” ମ୍ୟାଚରେ ୪ ଓଭରରେ ୧୪ ରନ ଦେଇ ୨ ଟି ଉଇକେଟ ହାସଲ କରିଥିବା ନବୀ କହିଛନ୍ତି ଯେ, “ଏହି ମ୍ୟାଚ ଦ୍ୱାରା ଆମ ମନୋବଳ ଆହୁରି ଦୃଢ଼ ହୋଇ ଯାଇଛନ୍ତି। ଆଗାମୀ ମ୍ୟାଚରେ ଆମେ ମଧ୍ୟ ଭଲ ପ୍ରଦର୍ଶନ କରିବୁ।” ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିବା ଫାରୁକି କହିଛନ୍ତି ଯେ, “ଏହି ବିଜୟ ଦେଶ ପାଇଁ ବହୁତ ବଡ଼ ବିଜୟ ଅଟେ। ନୂଆ ବଳରେ ମୋ ବୋଲିଂ ପ୍ଲାନ ଦଳକୁ ସଫଳତା ପ୍ରଦାନ କରିଥିଲା। ମୁଁ ଅନ୍ତିମ ଓଭରରେ ୟର୍କର ବୋଲିଂ ମଧ୍ୟ କରିପାରେ।”

ଶ୍ରୀଲଙ୍କା ଅଧିନାୟକ ଦଶନୁ ଶନକା କହିଥିଲେ ଯେ, ତାଙ୍କ ଦଳ ପରବର୍ତ୍ତୀ ମ୍ୟାଚରେ ଏକ ବଡ଼ ବିଜୟ ହାସଲ କରିବା ଉପରେ ଧ୍ୟାନ ଦେବ। ସେ କହିଛନ୍ତି ଯେ, “ପିଚ ଅନୁସାରେ ଆମକୁ ଖେଳିବାକୁ ହେବ। ପିଚରେ ଘାସ ଥିଲା। କିନ୍ତୁ ଆମ ସ୍ପିନରଙ୍କୁ ସହାୟତା ମିଳିଲା ନାହିଁ। ଆଫଗାନିସ୍ତାନ ବୋଲରମାନେ ବହୁତ ଭଲ ବୋଲିଂ କଲେ। ଆମେ କିଛି ଖରାପ ଶର୍ଟ ମଧ୍ୟ ଖେଳିଲୁ। ଟି-ଟ୍ୱେଣ୍ଟି କ୍ରିକେଟରେ ଏମିତି ହୁଏ କିନ୍ତୁ ଆମକୁ କ୍ବାଲିଫାଏ ହେବା ପାଇଁ ପରବର୍ତ୍ତୀ ମ୍ୟାଚକୁ ଅଧିକ ଅନ୍ତରରେ ଜିତିବାକୁ ଚେଷ୍ଟା କରିବାକୁ ହେବ।”