ଏସିଆ କପ ୨୦୨୨ ର ଆଉ ଏକ ମ୍ୟାଚରେ ପାକିସ୍ତାନ ଯୁବ ଦଳ ହଂକଂଗକୁ ଭେଟିଥିଲା। ଏହି ମ୍ୟାଚ ସାରଜାହ କ୍ରିକେଟ ଷ୍ଟାଡିୟମରେ ଖେଳା ଯାଇଥିଲା। ଏହି ମ୍ୟାଚକୁ ପାକିସ୍ତାନ ୧୫୫ ରନର ଏକ ବୃହତ ବ୍ୟବଧାନରେ ଜିତି ନେଇଥିଲା। ହଂକଂଗ ଅଧିନାୟକ ନିଯାକତ ଖାଁ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ବ୍ୟାଟିଂ ଆମନ୍ତ୍ରଣ ପାଇ ପାକିସ୍ତାନ ବ୍ୟାଟ୍ସମ୍ୟାନ୍ ବାବର ଆଜାମ ଏବଂ ମହମ୍ମଦ ରିଜୱାନ ଓପନିଙ୍ଗ କରିଥିଲେ। ବାବର ଆଜାମ ମାତ୍ର ୮ ବଲରେ ୯ ରନ କରି ଏହସାନ ଖାଁ ଙ୍କ ବଲରେ କ୍ୟାଚ ଆଉଟ ହୋଇଥିଲେ।

ଏହାପରେ ଫକର ଜମାନ ଏବଂ ମହମ୍ମଦ ରିଜୱାନ ଦଳର ପାରି ସମ୍ଭାଳି ଥିଲେ। ଉଭୟ ଦ୍ବିତୀୟ ୱିକେଟ ଯୋଡିରେ ୧୧୬ ରନ ଯୋଡି ଥିଲେ ଯାହାଦ୍ୱାରା ଦଳ ୧୨୯ ରନ ସ୍କୋରରେ ପହଂଚି ଥିଲା। ଏହାପରେ ୧୨୯ ରନ ସ୍କୋରରେ ଫକର ଜମାନ ନିଜ ୱିକେଟ ହରାଇଥିଲେ। ଫକର ଜମାନ ୩ ଟି ଚୌକା ଏବଂ ୨ ଟି ଛକା ସହିତ ୧୨୯.୨୭ ଷ୍ଟ୍ରାଇକ ରେଟରେ ୪୧ ବଲରେ ୫୩ ରନ କରି ଆଉଟ ହୋଇଥିଲେ।
ଏହାପରେ ମହମ୍ମଦ ରିଜୱାନ ଏବଂ ଖୁସଦିଲ ଶାହାଙ୍କ ଜବରଦସ୍ତ ବ୍ୟାଟିଂ ଦେଖିବାକୁ ମିଳିଥିଲା। ଉଭୟ ତୃତୀୟ ୱିକେଟ ଶେଷ ସୁଦ୍ଧା ୬୪ ରନ ସଂଗ୍ରହ କରିଥିଲେ। ଯାହାଦ୍ୱାରା ୨୦ ଓଭର ଶେଷ ସୁଦ୍ଧା ପାକିସ୍ତାନ ୨ଟି ୱିକେଟ ହରାଇ ୧୯୩ ରନ ସଂଗ୍ରହ କରିଥିଲା।

ମହମ୍ମଦ ରିଜୱାନ ୬ ଟି ଚୌକା ଏବଂ ଗୋଟିଏ ଛକା ସହିତ ୫୭ ବଲରେ ୭୮ ରନ ସଂଗ୍ରହ କରିଥିଲେ। ଖୁଶଦିଲ ଶାହା ୫ ଟି ଛକା ସହିତ ୧୫ ବଲରେ ୩୫ ରନ ସଂଗ୍ରହ କରିଥିଲେ। ହଂକଂଗ ପକ୍ଷରୁ ଏହସାନ ଖାଁ ଦୁଇଟି ୱିକେଟ ନେଇଥିଲେ।
ଏହାର ଜବାବରେ ହଂକଂଗ ଓପନର ୟସୀମ ମୂର୍ତ୍ତଜା ଏବଂ ଅଧିନାୟକ ନିଜାକତ ଖାଁ ବ୍ୟାଟିଂ କରିଥିଲେ। ବ୍ୟାଟିଂର ମାତ୍ର ୨ ଓଭର ପରେ ହଂକଂଗ ଦଳର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ଗୋଟିଏ ପରେ ଗୋଟିଏ ବ୍ୟାଟ୍ସମ୍ୟାନ୍ ଆଉଟ ହୋଇ ଚାଲିଥିଲେ।
ଅଧିନାୟକ ନିଯାକତ ଖାଁ ଏବଂ ୟସୀମ ମୂର୍ତ୍ତଜା ମାତ୍ର ୮ ରନ ଏବଂ ୨ ରନ କରି ଆଉଟ ହୋଇଥିଲେ। ଏହାପରେ ହଂକଂଗ ଦଳର କୌଣସି ଖେଳାଳି ଖାସ ପାରି ଖେଳିପାରିନଥିଲେ। ବାବର ହୟାତ ଖାସ ରନ କରିନଥିବା ବେଳେ କିଂଚିତ ଶାହା ମାତ୍ର ୬ ରନ କରି ମହମ୍ମଦ ନୱାଜଙ୍କ ବଲରେ ଲେଗ ବିଫୋର ହୋଇ ଆଉଟ ହୋଇଥିଲେ। ଏଯାଜ ଖାଁ ମାତ୍ର ୧ ରନ,ସ୍କଟ ମ୍ୟାକେନ୍ ୪ ରନ,ଜିସନ ଅଲ୍ଲୀ ୩ ରନ , ହାରୁନ ଅରସଦ ୩ ରନ କରି ଆଉଟ ହୋଇଥିଲେ।

ଦଳ ୯ ଓଭର ଶେଷ ସୁଦ୍ଧା ୩୬ ରନରେ ୮ ଟି ୱିକେଟ ହରାଇ ସାରିଥିଲା। ଏହାପରେ ଆୟୁଷ ଶୁକ୍ଳା ୧ ରନ କରିଥିବା ବେଳେ ଏହସାନ ଖାଁ ଏବଂ ମହମ୍ମଦ ଗଜନଫର ଏତେ କିଛି ଖାସ କରିପାରିନଥିଲେ। ହଂକଂଗ ଦଳ ୧୦.୪ ଓଭରରେ ନିଜର ସମସ୍ତ ୱିକେଟ ହରାଇ ୩୮ ରନ କରି ପାରିଥିଲା।
ପାକିସ୍ତାନ ଦଳ ପକ୍ଷରୁ ସାଦବ ଖାଁ ୪ ଟି ଏବଂ ମହମ୍ମଦ ନୱାଜ ୩ ଟି ୱିକେଟ ନେଇଥିଲେ। ଅନ୍ୟ ବୋଲରଙ୍କ ମଧ୍ୟରେ ନସିମ ଶାହା ୨ ଟି ଏବଂ ସେହନୱାଜ ଦହାନୀ ଗୋଟିଏ ୱିକେଟ ନେଇଥିଲେ। ମହମ୍ମଦ ରିଜୱାନଙ୍କୁ ତାଙ୍କ ଜବରଦସ୍ତ ଇନିଂସ ପାଇଁ ମ୍ୟାନ ଅଫ ଦି ମ୍ୟାଚ ଘୋଷଣା କରାଯାଇଥିଲା।