ବହୁ ପ୍ରତୀକ୍ଷିତ ଏସିଆ କପର ଭାରତ ବନାମ ପାକିସ୍ତାନ ମ୍ୟାଚର ଅନ୍ତ ଘଟିଛି। ଏହି ମ୍ୟାଚକୁ ଭାରତ ୫ ୱିକେଟରେ ଜିତି ନେଇଛି। ଏହି ମ୍ୟାଚ ଦୁବାଇ ଇଣ୍ଟରନେସ୍ନାଲ ଷ୍ଟାଡିୟମରେ ଖେଳା ଯାଇଥିଲା। ପ୍ରଥମେ ଟସ ଜିତି ଭାରତୀୟ ଅଧିନାୟକ ରୋହିତ ଶର୍ମା ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।

ଏହି ଦଳରେ ରିସବ ପନ୍ତଙ୍କ ପରିବର୍ତ୍ତେ ଦିନେଶ କାର୍ତିକଙ୍କୁ ଦେଖିବାକୁ ମିଳିଥିଲା। ପାକିସ୍ତାନ ଦଳ ବ୍ୟାଟିଂ ଆମନ୍ତ୍ରଣ ପାଇ ଅଧିନାୟକ ବାବର ଆଜାମ ଏବଂ ମହମ୍ମଦ ରିଜୱାନ ଓପନିଙ୍ଗ କରିଥିଲେ। ଉଭୟ ଓପନିଙ୍ଗ ଯୋଡିରେ ୧୫ ରନ କରିଥିବା ବେଳେ ବାବର ଆଜାମ ତାଙ୍କ ୱିକେଟ ହରାଇଥିଲେ। ସେ ଭୁବନେଶ୍ୱର କୁମାରଙ୍କ ବଲରେ ଆଉଟ ହୋଇଥିଲେ।
ଏହାପରେ ଫକର ଜମାନ ୬ ବଲରେ ୧୦ ରନ କରି ଅଭେସ ଖାନଙ୍କ ବଲରେ ଆଉଟ ହୋଇଥିଲେ। ଦଳ ଏହାପରେ କିଛି ରନ ବ୍ୟବଧାନରେ ୱିକେଟ ହରାଇ ଚାଲିଥିଲା। ଇଫତିକାର ଅହମ୍ମଦ ୨୨ ବଳରେ ୨୮ ରନର ଏକ ଛୋଟ ଇନିଂସ ଖେଳି ଦଳୀୟ ସ୍କୋର ୮୭ ରନ ବେଳେ ଆଉଟ ହୋଇଥିଲେ। ଏହାପରେ ଭଲ ବ୍ୟାଟିଂ କରୁଥିବା ମହମ୍ମଦ ରିଜୱାନ ୪୨ ବଳରେ ୪୩ ରନ କରି କ୍ୟାଚ ଆଉଟ ହୋଇଥିଲେ। ଖୁଶଦିଲ ସାହା ୨ ରନ ,ସଦାବ ଖାନ ୧୦ ରନ, ଆସିଫ ଅଲ୍ଲୀ ୯ ରନ , ମହମ୍ମଦ ନୱାଜ ୧ ରନ, ନସୀମ ସାହା ବିନା ରନ କରିଥିଲେ। ଏହାପରେ ହରିଷ ରଉଫଙ୍କ ୭ ବଲରେ ୧୩ ରନ ଏବଂ ସାହାନବାଜ ଦହନୀଙ୍କ ୬ ବଲରେ ୧୬ ରନ ଯୋଗୁଁ ଦଳ ୧୪୮ ରନ ସ୍କୋରରେ ପହଞ୍ଚିଥିଲା। ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ୪ ଟି ୱିକେଟ , ହାର୍ଦିକ ପାଣ୍ଡ୍ୟା ୩ ଟି , ଅର୍ସଦୀପ ସିଂ ୨ ଟି ଏବଂ ଅଭେସ ଖାନ ଗୋଟିଏ ୱିକେଟ ନେଇଥିଲେ।

ଏହାର ଜବାବରେ ଭାରତୀୟ ଓପନର କେ ଏଲ ରାହୁଲ ଶୁନ୍ୟରେ ଆଉଟ ହୋଇଯାଇଥିଲେ। ଏହାପରେ ବିରାଟ କୋହଲି ଏବଂ ଅଧିନାୟକ ରୋହିତ ଶର୍ମା ଦଳକୁ ଏକ ଭଲ ସ୍କୋର ଆଡ଼କୁ ନେଇଯାଇଥିଲେ। କୋହଲିଙ୍କ ବହୁ ପ୍ରତୀକ୍ଷିତ ଫର୍ମ ଆଜି ଦେଖିବାକୁ ମିଳିଥିଲା। ସେ ନିଜର ପୁରାତନ ଢଙ୍ଗରେ ପଡିଆକୁ ଆସିଥିଲେ। ଦଳ ୫୦ ରନ ସ୍କୋର ସମୟରେ ରୋହିତଙ୍କ ୱିକେଟ ହରାଇଥିଲା। ସେ ୧୮ ବଲରେ ୧୨ ରନ କରି ଆଉଟ ହୋଇଥିଲେ।

ତାଙ୍କ ପରେ ପରେ ଭଲ ବ୍ୟାଟିଂ କରୁଥିବା ବିରାଟ କୋହଲି ମଧ୍ୟ କ୍ୟାଚ ଆଉଟ ହୋଇ ପ୍ୟାଭିଲିୟନ ଫେରି ଯାଇଥିଲେ। ସେ ୩୪ ବଲରେ ୩ ଟି ଚୌକା ଏବଂ ଗୋଟିଏ ଛକା ସହିତ ୩୫ ରନ କରିଥିଲେ। ଏହାପରେ ସୂର୍ଯ୍ୟ କୁମାର ୟାଦବ ଏବଂ ରବୀନ୍ଦ୍ର ଜାଡେଜା ଦଳର ସ୍କୋର ଆଗକୁ ନେଇଥିଲେ। ଦଳୀୟ ସ୍କୋର ୮୯ ରନ ସମୟରେ ସୂର୍ଯ୍ୟ କୁମାର ୟାଦବ ୧୮ ବଲରେ ୧୮ ରନ କରି ନସିମ ସାହାଙ୍କ ବଲରେ ଆଉଟ ହୋଇଥିଲେ।

ପରବର୍ତ୍ତୀ ୱିକେଟ ଯୋଡି ରବୀନ୍ଦ୍ର ଜାଡେଜା ଏବଂ ହାର୍ଦିକ ପାଣ୍ଡ୍ୟାଙ୍କ ମଧ୍ୟରେ ହୋଇଥିବା ପାର୍ଟନର୍ସିପ ଦଳକୁ ଧୀରେ ଧୀରେ ବିଜୟ ଆଡକୁ ନେଇ ଯାଇଥିଲା। ଉଭୟ ପାକିସ୍ତାନ ବୋଲରଙ୍କ ଉପରେ ଜବରଦସ୍ତ ବ୍ୟାଟିଂ କରିବାରେ ଲାଗିଥିଲେ। ଦଳୀୟ ସ୍କୋର ୧୪୧ ରନ ସମୟରେ ରବୀନ୍ଦ୍ର ଜାଡେଜା ୨୯ ବଳରେ ୩୫ ରନ କରି ଆଉଟ ହୋଇଥିଲେ।
Hardik Pandya is adjudged Player of the Match for his excellent all-round show as #TeamIndia win a thriller against Pakistan 👏🎉💥
Scorecard – https://t.co/o3hJ6VNfwF #INDvPAK #AsiaCup2022 pic.twitter.com/D7GnzdFmQf
— BCCI (@BCCI) August 28, 2022
ଏହାପରେ ହାର୍ଦିକ ପାଣ୍ଡ୍ୟା ୧୭ ବଲରେ ୩୩ ରନ କରି ଦିନେଶ କାର୍ତିକଙ୍କ ସହ ଆଉ ଦୁଇଟି ବଲ ଥାଇ ମ୍ୟାଚ ଜିତାଇ ଥିଲେ। ପାକିସ୍ତାନ ବୋଲରଙ୍କ ମଧ୍ୟରୁ ମହମ୍ମଦ ନୱାଜ ୩ ଟି ୱିକେଟ ନେଇଥିବା ବେଳେ ନସିମ ସାହା ୨ ଟି ୱିକେଟ ନେଇଥିଲେ। ହାର୍ଦିକ ପାଣ୍ଡ୍ୟାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଘୋଷଣା କରାଯାଇଥିଲା।