ବ୍ୟୁରୋ ରିପୋର୍ଟ: ଭାରତୀୟ ଟିମର ଅନୁଭବ ଖେଳାଳି ବିରାଟ କୋହଲିଙ୍କ ନାମରେ ଏକ ଖାସ ରେକର୍ଡ ହୋଇଯାଇଛି। ସେ ପାକିସ୍ତାନ ବିରୁଦ୍ଧରେ କାଲି ଓହ୍ଲାଇବା କ୍ଷଣି ହିଁ ଭାରତ ପାଇଁ ତିନୋଟି ଯାକ ଫର୍ମାଟରେ ୧୦୦ ବା ୧୦୦ ରୁ ଅଧିକ ମ୍ୟାଚ ଖେଳିବା ପ୍ରଥମ ବ୍ୟାଟ୍ସମ୍ୟାନ ହୋଇଯାଇଛନ୍ତି। ଯେବେବି ବିରାଟ କୋହଲି ଇଣ୍ଟରନେସନାଲ କ୍ରିକେଟରେ ନିଜର ୧୦୦ ତମ ମ୍ୟାଚ ଖେଳିଛନ୍ତି ସେବେ ଭାରତୀୟ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ସୁନ୍ଦର ପ୍ରଦର୍ଶନ କରିଛନ୍ତି।

କୋହଲିଙ୍କ ୧୦୦ ତମ ଏକଦିବସିୟରେ ଚାଲିଥିଲା ଜାଡେଜାଙ୍କ କମାଲ:
କିଙ୍ଗ କୋହଲି ନିଜ ଏକଦିବସିୟ କ୍ୟାରିଅରର ୧୦୦ ତମ ଏକଦିବସିୟ ମ୍ୟାଚ ବର୍ଷ ୨୦୧୩ରେ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଦି ଓଭାଲରେ ଖେଳିଥିଲେ। ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଙ୍ଗ କରି ୫୦ ଓଭରରେ ୯ ୱିକେଟ ହରାଇ ୨୩୩ ରନ କରିଥିଲା। ସେହି ମ୍ୟାଚରେ ଜାଡେଜା ୧୦ ଓଭରରେ ୩୬ ରନ ଦେଇ ୫ ଟି ୱିକେଟ ନେଇଥିଲେ। ଏହା ଦ୍ଵାରା ଭାରତ ଏହି ମ୍ୟାଚ ୮ ୱିକେଟରେ ଜିତିଥିଲା। ଜାଡେଜା ପ୍ଲେୟର ଅଫ ଦି ମ୍ୟାଚ ହୋଇଥିଲେ।
କୋହଲିଙ୍କ ୧୦୦ ତମ ଟେଷ୍ଟ ମ୍ୟାଚରେ ଜାଡେଜାଙ୍କ ବ୍ୟାଟିଙ୍ଗ ଓ ବୋଲିଙ୍ଗରେ ସୁନ୍ଦର ପ୍ରଦର୍ଶନ:
କୋହଲିଙ୍କ ୧୦୦ ତମ ଟେଷ୍ଟ ମ୍ୟାଚରେ ମଧ୍ୟ ଜାଡେଜାଙ୍କ ଜଲୱା ଦେଖିବାକୁ ମିଳିଥିଲା। ଏହି ମ୍ୟାଚ କୋହଲି ୨୦୨୨ରେ ଶ୍ରୀଲଙ୍କା ବିରୁଦ୍ଧରେ ମୋହାଲିରେ ଖେଳିଥିଲେ। ଏହି ମ୍ୟାଚରେ ଜାଡେଜା ପ୍ରଥମେ ବ୍ୟାଟିଙ୍ଗରେ ୧୭୫ ନଟ ଆଉଟ ପାରି ଖେଳିଥିଲେ ଓ ମୋଟ ଏହି ମ୍ୟାଚରେ ୯ ୱିକେଟ ନେଇଥିଲେ। ସେ ପ୍ରଥମ ପାରିରେ ୫ ଓ ଦ୍ୱିତୀୟ ପାରିରେ ୪ ଟି ୱିକେଟ ନେଇଥିଲେ। ଏହି ମ୍ୟାଚରେ ମଧ୍ୟ ସେ ପ୍ଲେୟର ଅଫ ଦି ମ୍ୟାଚ ହୋଇଥିଲେ।

ଏବେ କୋହଲିଙ୍କ ୧୦୦ ତମ ଟି-୨୦ରେ ମଧ୍ୟ ଦେଖିବାକୁ ମିଳିଲା ଜାଡେଜାଙ୍କ ସୁନ୍ଦର ପ୍ରଦର୍ଶନ:
ଏସିଆ କପ ୨୦୨୨ରେ ଭାରତର ପ୍ରଥମ ମ୍ୟାଚ ଗତକାଲି ପାକିସ୍ତାନ ବିରୁଦ୍ଧରେ ଖେଳିଥିଲା ଓ ଏହା କୋହଲିଙ୍କର ୧୦୦ ତମ ଟି-୨୦ ଇଣ୍ଟରନେସନାଲ ମ୍ୟାଚ ଥିଲା। ଜାଡେଜା ଏହି ମ୍ୟାଚରେ ମଧ୍ୟ କୋହଲିଙ୍କ ସହ ସମାନ ସବୁଠୁ ଅଧିକ ୩୫ ରନ କରିଥିଲେ। ଏହି ସମୟରେ ସେ ଦୁଇଟି ଚୌକା ଓ ଦୁଇଟି ଛକା ଲଗାଇଥିଲେ। ଭାରତ ଏହି ମ୍ୟାଚ ୫ ୱିକେଟରେ ଜିତିଥିଲା।