ବ୍ୟୁରୋ ରିପୋର୍ଟ: ଭାରତ ଶ୍ରୀଲଙ୍କା ବିରୁଦ୍ଧରେ ବାଙ୍ଗାଲୋରରେ ଖେଳାଯାଉଥିବା ଡେ ନାଇଟ ଟେଷ୍ଟରେ ମଜବୁତ ସ୍ଥିତିରେ ପହଁଚିଯାଇଛି। ଭାରତ ଶ୍ରୀଲଙ୍କା ବିରୁଦ୍ଧରେ ୪୪୭ ରନର ଲକ୍ଷ୍ୟ ରଖିଛି। ଶ୍ରୀଲଙ୍କାର ଆରମ୍ଭ ମଧ୍ୟ ଭଲ ରହିନାହିଁ। ତୃତୀୟ ହିଁ ବଲରେ ଯଶପ୍ରୀତ ବୁମରା ଲାହିରୁ ଥିରିମାନେଙ୍କୁ ଏଲବୀ ଡବ୍ଲୁ ଆଉଟ କରିଦେଇଥିଲେ। ଦ୍ୱିତୀୟ ହିଁ ଦିନ ଖେଳଶେଷ ସୁଦ୍ଧା ଶ୍ରୀଲଙ୍କା ଗୋଟେ ୱିକେଟ ହରାଇ ୨୮ ରନ କରିଛି। ଯେଉଁ ପରି ସ୍ପିନରଙ୍କୁ ସାହାଯ୍ୟ ମିଳୁଛି ଭାରତ ତୃତୀୟ ଦିନ ହିଁ ମ୍ୟାଚ ଜିତିପାରେ। ଟିମ ଇଣ୍ଡିଆ ଏହି ଟେଷ୍ଟ ଜିତିଲା ପରେ ଟି-୨୦ ପରେ ଟେଷ୍ଟ ସିରିଜକୁ ମଧ୍ୟ କ୍ଲିନ ସୁଇପ କରିବ।

ଏହା ପୂର୍ବରୁ ଭାରତ ଦ୍ୱିତୀୟ ପାରି ୩୦୩-୯ ରେ ପାରି ଘୋଷଣା କରିଥିଲା। ଶ୍ରେୟସ ଅୟର ଦ୍ୱିତୀୟ ପାରିରେ ୬୭ ରନ କରି ଟପ ସ୍କୋରର ରହିଥିଲେ। ଋଷଭ ପନ୍ତ ମଧ୍ୟ ୫୦ ରନର ତୁଫାନି ପାରି ଖେଳିଥିଲେ। ଶ୍ରୀଲଙ୍କା ତରଫରୁ ପ୍ରବୀଣ ଜୟବିକ୍ରମା ୪ ଓ ଲସିଥ ଏମ୍ବୁଲଦେନିଆ ୩ ଟି ୱିକେଟ ନେଇଛନ୍ତି। ଟିମ ଇଣ୍ଡିଆ ପ୍ରଥମ ପାରିରେ ୨୫୨ ରନ କରିଥିଲା। ସେହିପରି ଶ୍ରୀଲଙ୍କା ପ୍ରଥମ ପାରିରେ ୧୦୯ ରନ କରି ଅଲଆଉଟ ହୋଇଯାଇଥିଲା।
ବାଙ୍ଗାଲୋର ଟେଷ୍ଟର ପ୍ରଥମ ପାରିରେ ୯୨ ରନ କରିଥିବା ଅୟର ଦ୍ୱିତୀୟ ପାରିରେ ମଧ୍ୟ ଅର୍ଦ୍ଧଶତକ ମାରିଛନ୍ତି। ଅୟର ୭୦ ବଲରେ ନଜର ତୃତୀୟ ଟେଷ୍ଟ ଅର୍ଦ୍ଧଶତକ ପୁରା କରିଥିଲେ। ଏହା ସହିତ ଶ୍ରେୟସ ଡେ ନାଇଟ ଟେଷ୍ଟର ଦୁଇଟି ପାରିରେ ଅର୍ଦ୍ଧଶତକ ମାରିଥିବା ପ୍ରଥମ ଭାରତୀୟ ଖେଳାଳି ହୋଇଯାଇଛନ୍ତି ଓ ଦୁନିଆର ଚତ୍ରୁର୍ଥ ଖେଳାଳି। ଅୟରଙ୍କୁ ଲସିଥ ଏମ୍ବୁଲଡେନିଆ ଏଲବି ଡବ୍ଲୁ ଆଉଟ କରିଥିଲେ।

ଅୟରଙ୍କ ସହ ପନ୍ତ ମଧ୍ୟ ସୁନ୍ଦର ବ୍ୟାଟିଙ୍ଗ କରିଛନ୍ତି। ସେ ଟେଷ୍ଟରେ ଭାରତ ତରଫରୁ ସବୁଠୁ କମ ବଲରେ ଅର୍ଦ୍ଧଶତକ ମାରିଥିବା ଖେଳାଳି ହୋଇଯାଇଛନ୍ତି। ସେ ମାତ୍ର ୨୮ ବଲରେ ନିଜର ଅର୍ଦ୍ଧଶତକ ପୁରା କରିଛନ୍ତି। ଏହା ସହିତ ସେ କପିଲ ଦେବଙ୍କ ୪୦ ବର୍ଷର ରେକର୍ଡକୁ ଭାଙ୍ଗିଦେଇଛନ୍ତି।କପିଲ ୧୯୮୨ ରେ ପାକିସ୍ତାନ ବିରୁଦ୍ଧରେ ୩୦ ବଲରେ ଅର୍ଦ୍ଧଶତକ ମାରିଛନ୍ତି। ପନ୍ତ ଦ୍ୱିତୀୟ ପାରିରେ ୫୦ ରନ କରି ଆଉଟ ହୋଇଛନ୍ତି।ପ୍ରଥମ ପାରିରେ ପନ୍ତ ୨୬ ବଲରେ ୩୯ ରନ କରିଛନ୍ତି।
ବିରାଟ କୋହଲି ପୁଣି କଲେ ନିରାଶ:
ପୂର୍ଵ ଭାରତୀୟ ଅଧିନାୟକ ବିରାଟ କୋହଲି ପୁଣି ନିରାଶ କରିଛନ୍ତି। ସେ ମାତ୍ର ୧୩ ରନ କରି ଜୟବିକ୍ରମାଙ୍କ ଦ୍ଵାରା ଏଲବୀ ଡବ୍ଲୁ ଆଉଟ ହୋଇଛନ୍ତି। ଏହା ଦ୍ଵାରା ୫ ବର୍ଷ ପରେ କୋହଲିଙ୍କ ଟେଷ୍ଟ ଔଷତ ୫୦ ରୁ କମିଛି। ପ୍ରଥମ ପାରିରେ ମଧ୍ୟ କୋହଲି ୨୩ ରନ କରି ଏଲବୀ ଡବ୍ଲୁ ଆଉଟ ହୋଇଥିଲେ।

ରୋହିତ ଓ ହନୁମା ବିହାରୀ ଯୋଡିଲେ ୫୬ ରନ:
ଦ୍ୱିତୀୟ ପାରିରେ ମୟଙ୍କ ଅଗ୍ରୱାଲ (୨୩) ଙ୍କ ଉପରେ ଭାରତର ପ୍ରଥମ ୱିକେଟ ଗଳିଲା। ମୟଙ୍କ ପ୍ରଥମ ୱିକେଟ ପାଇଁ ରୋହିତଙ୍କ ସହ ୪୨ ରନର ପାର୍ଟନରସିପ କରିଥିଲେ। ଏହା ପରେ ଦ୍ୱିତୀୟ ୱିକେଟ ପାଇଁ ରୋହିତ ଓ ହନୁମା ବିହାରୀ ୫୬ ରନର ପାର୍ଟନରସିପ କରିଥିଲେ। ଏହା ପରେ ରୋହିତ ୪୬ ରନ କରି ଆଉଟ ହୋଇଥିଲେ। ଏହା ପରେ ବିହାରୀ ମଧ୍ୟ ବଡ଼ ପାରି ଖେଳିପାରିନଥିଲେ ଓ ୩୫ ରନ କରି ଆଉଟ ହୋଇଯାଇଥିଲେ। ଏହା ପରେ ରବିନ୍ଦ୍ର ଜାଡେଜା ଓ ଅଶ୍ୱିନୀ ୨୨ ଓ ୧୩ ରନ ଯୋଡିଥିଲେ। ୯ ମ ୱିକେଟ ରୂପରେ ଅକ୍ଷର ପଟେଲ ଆଉଟ ହେବାପରେ ରୋହିତ ପାରି ଘୋଷଣା କରିଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।