ବ୍ୟୁରୋ ରିପୋର୍ଟ: ଆଗାମୀ ଫେବୃୟାରୀ ୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଦୁଇ ଶକ୍ତିଶାଳୀ କ୍ରିକେଟ ଦଳ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୪ ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ। ଦୁଇ ଶକ୍ତିଶାଳୀ କ୍ରିକେଟ ଦଳ ମଧ୍ୟରେ ଖେଳ ହେଲେ, ଅନେକ କିଛି ହୋଇପାରେ।
୨୦୦୧ ରେ ଭିଭିଏସ୍ ଲକ୍ଷ୍ମଣ ରାହୁଲ ଦ୍ରାବିଡ଼ଙ୍କ ସହିତ ମିଶି ୨୮୧ ରନର ଏକ ବଡ଼ ପାରି ଖେଳିଥିଲେ। ସେହିପରି ଷ୍ଟିଭ ସ୍ମିଥ ୨୦୧୭ ମସିହାରେ ୧୦୯ ରନର ଏକ ଜବରଦସ୍ତ ପାରି ଖେଳିଥିଲେ ଯାହାଦ୍ୱାରା ଅଷ୍ଟ୍ରେଲିଆ ଦଳ ମ୍ୟାଚ ବିଜୟୀ ହୋଇଥିଲା। କେତେ ବଡ଼ ବଡ଼ କ୍ରିକେଟର ଶତକ ମଧ୍ୟ ଲଗାଇଥିଲେ।
ସର୍ବାଧିକ ଶତକ ଲିଷ୍ଟରେ ପୂର୍ବତନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ନାଁ ଆସେ ଯିଏକି ୩୯ ମ୍ୟାଚରେ ୭୧ ପାରିରେ ୧୧ ଟି ଶତକ ଲଗାଇ ସାରିଛନ୍ତି। ୨୦୦୩-୦୪ ବର୍ଷରେ ତାଙ୍କର ୨୪୧ ରନର ଜବରଦସ୍ତ ପାରି ଦ୍ୱାରା ଭାରତୀୟ ଦଳ ୧-୧ ରେ ସିରିଜକୁ ସମାନ କରି ପାରିଥିଲା।
ତାଙ୍କ ପରେ ଦ୍ଵିତୀୟ ସ୍ଥାନରେ ଏହି ଲିଷ୍ଟରେ ଅଷ୍ଟ୍ରେଲିଆ ଦଳର ବ୍ୟାଟ୍ସମ୍ୟାନ୍ ଷ୍ଟିଭ ସ୍ମିଥ ଅଛନ୍ତି ଯିଏକି ୧୪ ଟି ମ୍ୟାଚରେ ୨୮ ଟି ପାରିରେ ୭୨ ରୁ ଅଧିକ ଔସତରେ ସେ ୮ ଟି ଶତକ ଲଗାଇ ସାରିଛନ୍ତି। ଯଦି ସେ ଏହି ସିରିଜରେ ୩ ରୁ ଅଧିକ ଶତକ ଲଗାଉଛନ୍ତି, ତେବେ ସଚିନ ତେନ୍ଦୁଲକରଙ୍କ ରେକର୍ଡ ପାର କରି ପାରିବେ।
ଏହାପରେ ଲିଷ୍ଟରେ ତୃତୀୟ ସ୍ଥାନରେ ଅଛନ୍ତି ଅଷ୍ଟ୍ରେଲିଆ ଦଳର ପୂର୍ବତନ ଅଧିନାୟକ ରିକି ପଣ୍ଟିଙ୍ଗ ଯିଏକି ଏକ ସମୟରେ ପ୍ରବଳ ରନ ସଂଗ୍ରହ କରୁଥିଲେ। ସେ ୨୯ ଟି ମ୍ୟାଚରେ ୫୧ ଟି ପାରିରେ ୮ ଟି ଶତକ ଲଗାଇବା ସହିତ ଭାରତ ବିପକ୍ଷରେ ମେଲବର୍ନ କ୍ରିକେଟ ଗ୍ରାଉଣ୍ଡରେ ୨୦୦୩-୦୪ ମସିହାରେ ୨୫୭ ରନ କରିଥିଲେ।
ଏହି ଲିଷ୍ଟରେ ଚତୁର୍ଥ ସ୍ଥାନରର ବିରାଟ କୋହଲି ଅଛନ୍ତି ଯିଏକି ୨୦ ଟି ମ୍ୟାଚରେ ୩୬ ଟି ପାରିରେ ୭ ଟି ଶତକ ଲଗାଇବା ସହିତ ଅଷ୍ଟ୍ରେଲିଆ ବିପକ୍ଷରେ ସେ ୨୦୧୪ ରେ ମେଲବର୍ନ କ୍ରିକେଟ ଗ୍ରାଉଣ୍ଡରେ ତାଙ୍କର ସର୍ବାଧିକ ୧୬୯ ରନ ସ୍କୋର କରିଥିଲେ। ସେ ଆଉ ଗୋଟିଏ ଶତକ ହାସଲ କଲେ, ଅଷ୍ଟ୍ରେଲିଆ ଦଳର ରିକି ପଣ୍ଟିଙ୍ଗଙ୍କୁ ପଛରେ ପକାଇ ଦେବେ।
ପଞ୍ଚମ ସ୍ଥାନରର ଅଷ୍ଟ୍ରେଲିଆ ଦଳର ମାଇକେଲ କ୍ଲାର୍କ ଅଛନ୍ତି ଯିଏକି ୨୨ ତୋ ମ୍ୟାଚରେ ୪୦ ଟି ପାରିରେ ୭ ଟି ଶତକ ଲଗାଇବା ସହିତ ୨୦୧୧ ରେ ସିଡନୀ ଗ୍ରାଉଣ୍ଡରେ ଭାରତ ବିପକ୍ଷରେ ୩୨୯ ରନ କରିଥିଲେ।