ରସେଲଙ୍କ ଜବରଦସ୍ତ ବ୍ୟାଟିଂ! ୩୨ ବଲରେ ଦମଦାର ବ୍ୟାଟିଂ କରି କଲେ ୬୩, ଜାଣନ୍ତୁ ସମ୍ପୂର୍ଣ୍ଣ

ବ୍ୟୁରୋ ରିପୋର୍ଟ: ୱେଷ୍ଟ ଇଣ୍ଡିଜ ଦଳର ଅଲରାଉଣ୍ଡର ଆନ୍ଦ୍ର ରସେଲ ୟୁଏଇରେ ଚାଲିଥିବା ଟି-୧୦ ଲିଗରେ ବ୍ୟାଟିଂରେ ନିଜର ଜବରଦସ୍ତ ପ୍ରଦର୍ଶନ ଦେଖାଉଛନ୍ତି। ରସେଲ ଅବୁଧାବିର ଶେଖ ଜାୟଦ ଷ୍ଟାଡିୟମରେ ଖେଳା ଯାଇଥିବା କ୍ବାଲିଫାଏର-୨ ମୁକାବିଲାରେ ସୁନ୍ଦର ପ୍ରଦର୍ଶନ କରି ଡେକାନ ଗ୍ଲେଡିଏଟର୍ସକୁ ଫାଇନାଲରେ ପହଞ୍ଚାଇ ଦେଇଛନ୍ତି। ଏହି କାରିବିୟାନ ଅଲରାଉଣ୍ଡର ତାଙ୍କର ଜବରଦସ୍ତ ପ୍ରଦର୍ଶନ ଦ୍ୱାରା ପ୍ଲେୟାର ଅଫ ଦି ଟୁର୍ଣାମେଣ୍ଟ ମଧ୍ୟ ଘୋଷିତ ହୋଇଛନ୍ତି। ରବିବାର ଦିନ ଖେଳା ଯିବାକୁ ଥିବା ଫାଇନାଲ ମ୍ୟାଚ ଡେକାନ ଗ୍ଲେଡିଏଟର୍ସ ଏବଂ ନ୍ୟୁୟର୍କ ଷ୍ଟ୍ରାଇକର୍ସ ମଧ୍ୟରେ ହେବାର ଅଛି।

ଡେକାନ ଗ୍ଲେଡିଏଟର୍ସର ଅଧିନାୟକ ନିକୋଲସ ପୁରନ ଟସ ଜିତି ପ୍ରଥମେ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ମାରିସଉଇଲେ ସଇଁପ ଆର୍ମୀ ଓପନର ମୋଇନ ଅଲ୍ଲିଙ୍କ ଜବରଦସ୍ତ ପାରି ଯୋଗୁଁ ନିର୍ଦ୍ଧାରିତ ୧୦ ଓଭରରେ ୨ ଟି ୱିକେଟ ହରାଇ ୧୧୯ ରନ କରି ପାରିଥିଲା। ମୋଇନ ଅଲ୍ଲୀ ୨୯ ବଲରେ ୬ ଟି ଚୌକା ଏବଂ ୬ ଟି ଛକା ଦ୍ୱାରା ୭୮ ରନର ଜବରଦସ୍ତ ପାରି ଖେଳିଥିବା ବେଳେ ଡେଭିଡ ମିଲର ୧୩ ବଲରେ ୧୬ ରନ କରି ଆଉଟ ହୋଇଥିଲେ।

୧୨୦ ରନର ଲକ୍ଷ୍ୟକୁ ପିଛା କରିବାକୁ ଓହ୍ଲାଇଥିବା ନିକୋଲସ ପୁରନଙ୍କ ଦଳର ଓପନିଙ୍ଗ ଆରମ୍ଭ କରିଥିଲେ ଟମ କୋଲହର-କ୍ୟାଡ଼ମୋର ଏବଂ ଆନ୍ଦ୍ର ରସେଲ। ଦୁଇ ଜଣ ପ୍ରଥମ ୱିକେଟ ଯୋଡିରେ ୬୪ ରନ କରିବା ପରେ କ୍ୟାଡ଼ମୋର ୧୪ ରନ କରି ଆଉଟ ହୋଇ ଯାଇଥିଲେ।

ଏହାପରେ ରସେଲ ପୁରନଙ୍କ ସହିତ ମିଶି ଦଳୀୟ ସ୍କୋର ଆଗକୁ ନେଇଥିଲେ। ପୁରନ ୧୨ ବଲରେ ୩୮ ରନ କରି ଦଳୀୟ ସ୍କୋର ୧୦୦ ରେ ପହଞ୍ଚାଇ ଦେଇଥିଲେ। ରସେଲ ୩୨ ବଲରେ ୭ ଚୌକା ଏବଂ ୪ ଛକା ସହିତ ୬୩ ରନ କରି ଆଉଟ ହୋଇଥିଲେ। ରସେଲ ଆଉଟ ହେବା ପରେ ପୁରନଙ୍କୁ ଓଡେନ ସ୍ମିଥଙ୍କ ପୂର୍ଣ୍ଣ ସହାୟତା ମିଳିଥିଲା। ଅଉ ୨ ଟି ବଲ ଥାଇ ଦଳ ୨ ୱିକେଟରେ ୧୨୧ ରନ ସଂଗ୍ରହ କରି ନେଇଥିଲା ଏବଂ ୮ ୱିକେଟରେ ଏହି ମ୍ୟାଚକୁ ଜିତି ନେଇଥିଲା।

ପ୍ରଥମ କ୍ଵଲିଫାଏରେ ନ୍ୟୁୟର୍କ ଷ୍ଟ୍ରାଇକର୍ସ ସଇଁପ ଆର୍ମିକୁ ୪ ୱିକେଟ ହରାଇ ମୁକାବିଲାରେ କ୍ଵଲିଫାଏ କରିଥିଲା। ଷ୍ଟ୍ରାଇକର୍ସ ସଇଁପ ଆର୍ମୀ ବିପକ୍ଷରେ ୯ ଟି ବଲ ଥାଇ ମ୍ୟାଚକୁ ଜିତି ନେଇଥିଲା। ସଇଁପ ଆର୍ମୀ ପ୍ରଥମେ ବ୍ୟାଟିଂ କରି ୯ ୱିକେଟ ହରାଇ ୮୧ ରନ କରିଥିବା ବେଳେ ଦ୍ଵେନ ପ୍ରିଟୋରିୟସ ସର୍ବାଧିକ ୧୫ ରନ କରିଥିଲେ। ଷ୍ଟ୍ରାଇକର୍ସ ପକ୍ଷରୁ ରବି ରାମପଲ, ୱାହବ ରିଆଜ, ଅକିଲ ହୁସେନ, ଜୋର୍ଡାନ ଥମ୍ପସନ ଦୁଇଟି ଲେଖାଏଁ ୱିକେଟ ନେଇଥିଲେ। ଏହାର ଜବାବରେ ଷ୍ଟ୍ରାଇକର୍ସ ଦଳର ମହମ୍ମଦ ୱାସିମ ନଟ ଆଉଟ ୩୬ ରନ କରି ଦଳକୁ ବିଜୟୀ କରାଇଥିଲେ।

Leave a Reply

Your email address will not be published. Required fields are marked *