ବ୍ୟୁରୋ ରିପୋର୍ଟ: ଟିମ ଇଣ୍ଡିଆ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ତ୍ତମାନ ତିନୋଟି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳା ଯାଉଛି। ଏହି ସିରିଜ ୧-୧ ବରାବରୀରେ ରହିଛି। ଏହାର ଅନ୍ତିମ ତଥା ନିର୍ଣ୍ଣାୟକ ମୁକାବିଲା ଆଜି ଖେଳାଯିବାର ଅଛି। ଏହି ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ। ଏହାପରେ ଅନେକ ଖେଳାଳି ଆଇପିଏଲ ଲିଗକୁ ନେଇ ବ୍ୟସ୍ତ ରହିପାରନ୍ତି।
ଭାରତୀୟ ଦଳ ୨୦୨୩ ମସିହାରେ ଆଗକୁ ଅନେକ ମ୍ୟାଚ ଖେଳିବ। ଏଥିମଧ୍ୟରେ ପାକିସ୍ତାନରେ ହେବାକୁ ଥିବା ଏସିଆ କପ ଠାରୁ ଆରମ୍ଭ କରି ଭାରତରେ ହେବାକୁ ଥିବା ୨୦୨୩ ବିଶ୍ୱକପ ମଧ୍ୟ ସାମିଲ ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ନିକଟରେ କୌଣସି ସିରିଜ ହାରି ନାହିଁ। ଦଳ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜକୁ ୨-୧ ରେ ଜିତିବା ପରେ ବର୍ତ୍ତମାନ ଦିନିକିଆ ସିରିଜ ଖେଳୁଛି ଯାହାର ଅନ୍ତିମ ମ୍ୟାଚ ଆଜି ରହିଛି।
ଅଷ୍ଟ୍ରେଲିଆ ଵିପକ୍ଷ ଦିନିକିଆ ସିରିଜ ପରେ ଭାରତୀୟ ଦଳ ଦୁନିଆର ସବୁଠାରୁ ବଡ଼ କ୍ରିକେଟ ଲିଗ ଟୁର୍ଣ୍ଣାମେଣ୍ଟ ଆଇପିଏଲରେ ବ୍ୟସ୍ତ ରହିବ। ଆଇପିଏଲ ପରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ୱ ଟେଷ୍ଟ ଚମ୍ପିୟାନସିପ ଫାଇନାଲ୍ ମଧ୍ୟ ଖେଳିବ। ଗତବର୍ଷ ଭାରତୀୟ ଦଳ ବିଶ୍ୱ ଟେଷ୍ଟ ଚମ୍ପିୟାନସିପ ଫାଇନାଲ୍ ଯାଇଥିଲେ ମଧ୍ୟ ନ୍ୟୁଜିଲାଣ୍ଡ ଦଳ ଠାରୁ ପରାସ୍ତ ହୋଇଥିଲା।
ଆଇପିଏଲ ପରେ ଟିମ ଇଣ୍ଡିଆର କାର୍ଯ୍ୟସୂଚୀ:
ଜୁଲାଇ/ଅଗଷ୍ଟ(୨୦୨୩):- ୱେଷ୍ଟ ଇଣ୍ଡିଜ ବନାମ ଭାରତ
ଟିମ ଇଣ୍ଡିଆ ୱେଷ୍ଟ ଇଣ୍ଡିଜ ଗସ୍ତରେ ଯାଇ ୨ ଟି ଟେଷ୍ଟ, ୩ ଟି ଦିନିକିଆ ଏବଂ ୩ ଟି ଟି-ଟ୍ୱେଣ୍ଟି ମ୍ୟାଚ ବିଶିଷ୍ଟ ସିରିଜ ଖେଳିବ।
ସେପ୍ଟେମ୍ବର(୨୦୨୩):- ଏସିଆ କପ
ସେପ୍ଟେମ୍ବର ମାସରେ ପାକିସ୍ତାନରେ ଏସିଆ କପ ହେବାକୁ ଥିବା ବେଳେ ଭାରତୀୟ ଦଳ ସେଠାକୁ ଯିବା ନେଇ କୌଣସି କଥା ସ୍ପଷ୍ଟ ହୋଇ ନାହିଁ।
ଅକ୍ଟୋବର(୨୦୨୩):- ଭାରତ ବନାମ ଅଷ୍ଟ୍ରେଲିଆ
ଦିନିକିଆ ବିଶ୍ୱକପର ପ୍ରସ୍ତୁତି ପାଇଁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନୋଟି ଦିନିକିଆ ମ୍ୟାଚ ବିଶିଷ୍ଟ ସିରିଜ ଖେଳାଯିବାର ଅଛି।
ଅକ୍ଟୋବର/ନଭେମ୍ବର(୨୦୨୩):- ଆଇସିସି କ୍ରିକେଟ ବିଶ୍ୱକପ
ଭାରତରେ ହେବାକୁ ଥିବା ବିଶ୍ୱକପ ଅକ୍ଟୋବର -ନଭେମ୍ବର ମାସରେ ଖେଳାଯିବ। ଏହାକୁ ଜିତିବା ଲାଗି ଭାରତୀୟ ଦଳ ପାଖରେ ଏକ ସୁବର୍ଣ୍ଣ ସୁଯୋଗ ରହିଛି।
ନଭେମ୍ବର/ଡିସେମ୍ବର(୨୦୨୩):- ଅଷ୍ଟ୍ରେଲିଆ ବନାମ ଭାରତ
ଅଷ୍ଟ୍ରେଲିଆ ଦଳ ଭାରତ ଗସ୍ତରେ ଆସି ୫ ଟି ଟି-ଟ୍ୱେଣ୍ଟି ଅନ୍ତର୍ଜାତୀୟ ମ୍ୟାଚ ବିଶିଷ୍ଟ ସିରିଜ ଖେଳିବାର ଅଛି।
ଡିସେମ୍ବର(୨୦୨୩):- ଭାରତ ବନାମ ଦକ୍ଷିଣ ଆଫ୍ରିକା
ବର୍ଷ ଶେଷରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨ ଟି ଟେଷ୍ଟ ମ୍ୟାଚ, ୩ ଟି ଦିନିକିଆ ମ୍ୟାଚ ଏବଂ ୨ ଟି ଟି-ଟ୍ୱେଣ୍ଟି ମ୍ୟାଚ ବିଶିଷ୍ଟ ସିରିଜ ଖେଳିବାର ଅଛି।