ବ୍ୟୁରୋ ରିପୋର୍ଟ: ରୋହିତ ଶର୍ମା ବାଂଲାଦେଶ ବିପକ୍ଷ ଦିନିକିଆ ସିରିଜ ବିଜୟର ସହିତ ଆରମ୍ଭ କରିବାକୁ ଚାହିଁବେ। ଭାରତ ଏବଂ ବାଂଲାଦେଶ ମଧ୍ୟରେ ତିନୋଟି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଡିସେମ୍ବର ୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି।
ପୂର୍ଵ ନ୍ୟୁଜିଲାଣ୍ଡ ସିରିଜରେ ଅଧିନାୟକ ରୋହିତ ଶର୍ମା ,ବିରାଟ କୋହଲି ଏବଂ କେ ଏଲ ରାହୁଲ ବିଶ୍ରାମ ଦିଆ ଯାଇଥିବା ବେଳେ ଭାରତୀୟ ଦଳ ଏହି ସିରିଜକୁ ୦-୧ ରେ ହାରି ଯାଇଥିଲା। କିନ୍ତୁ ବାଂଲାଦେଶ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚରେ ଏହି ତିନି ଜଣ ଖେଳାଳି ଖେଳିବା ପ୍ରାୟ ସୁନିଶ୍ଚିତ ଅଟେ। ଶିଖର ଧାୱନ ରୋହିତଙ୍କ ସହିତ ଓପନିଙ୍ଗ କରୁଥିବା ବେଳେ ରାହୁଲ କେଉଁ ସ୍ଥାନରେ ଖେଳିବେ ସେ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ବାଂଲାଦେଶ ଅଧିନାୟକ ତମିମ ଇକବାଲ ଇଂଜୁରୀ କାରଣରୁ ଦଳରୁ ବାହାର ହୋଇ ଯାଇଛନ୍ତି।
ପ୍ରଥମ ଦିନିକିଆ ମ୍ୟାଚରେ ରୋହିତ ଶିଖର ଧାୱନଙ୍କୁ ମୌକା ଦେଇ ପାରନ୍ତି। ୨୦୨୨ ରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ଙ୍କ ମଧ୍ୟରେ ଶିଖର ଧାୱନ ଦିନିକିଆରେ ସର୍ବାଧିକ ରନ କରିଛନ୍ତି। କେ ଏଲ ରାହୁଲ ମଧ୍ୟକ୍ରମରେ ଖେଳି ଥାଆନ୍ତି। ତେଣୁ ସେ ସେହି ସ୍ଥାନରେ ଖେଳି ପାରନ୍ତି। ବିରାଟ କୋହଲି ଦଳକୁ ଫେରିବା ପରେ ସେ ତିନି ନମ୍ବର ସ୍ଥାନରେ ଖେଳିବେ। ତାଙ୍କ ପୂର୍ବରୁ ନ୍ୟୁଜିଲାଣ୍ଡ ସିରିଜରେ ଶ୍ରେୟସ ଅୟର ତିନି ନମ୍ବର ସ୍ଥାନରେ ଖେଳୁଥିଲେ।
ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଭାରତୀୟ ଦଳ ୩୦୦ ରୁ ଅଧିକ ରନ କରି ମଧ୍ୟ ସେହି ମ୍ୟାଚଟି ହାରି ଯାଇଥିଲା। ଭାରତୀୟ ଦଳ ସେହି ମ୍ୟାଚରେ ୫ ଜଣ ବୋଲରଙ୍କ ସହିତ ଖେଳିଥିଲା। ତେବେ ବାଂଲାଦେଶ ବିପକ୍ଷ ମ୍ୟାଚରେ ଏହା ଦେଖିବାକୁ ହେବ ଯେ, ଦଳ ୫ ଜଣ ବୋଲରଙ୍କ ସହିତ ଖେଳୁଛି କିମ୍ବା ଦଳରେ ଅଉ ଏକ ବୋଲରଙ୍କୁ ସାମିଲ କରୁଛି। ମହମ୍ମଦ ସାମୀ ଦଳରୁ ବାହାରିବା ପରେ ଉମ୍ରାନ ମଲ୍ଲିକଙ୍କୁ ଦଳରେ ସ୍ଥାନ ମିଳିଛି। କିନ୍ତୁ ସେ ପ୍ରଥମ ଦିନିକିଆ ଖେଳିବା କଷ୍ଟକର ଅଟେ। ବାମହାତୀ ସ୍ପିନର ଅକ୍ଷର ପଟେଲ ଦଳକୁ ଫେରିଛନ୍ତି। ସେ ପ୍ରଥମ ଦିନିକିଆ ମ୍ୟାଚରେ ଖେଳି ପାରନ୍ତି।
ଭାରତୀୟ ସମ୍ଭାବ୍ୟ ଏକାଦଶ:
ରୋହିତ ଶର୍ମା(ଅଧିନାୟକ), କେ ଏଲ ରାହୁଲ, ଶିଖର ଧାୱନ, ବିରାଟ କୋହଲି, ଶ୍ରେୟସ ଅୟର, ଋଷଭ ପନ୍ତ, ୱାସିଙ୍ଗଟନ ସୁନ୍ଦର, ଅକ୍ସର ପଟେଲ, ସାରଦୁଲ ଠାକୁର, ମହମ୍ମଦ ସିରାଜ, ଦୀପକ ଚାହର।