ବ୍ୟୁରୋ ରିପୋର୍ଟ: ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲି ବର୍ତ୍ତମାନ ଭାରତୀୟ ଦଳର ପ୍ରମୂଖ କ୍ରିକେଟର ଅଟନ୍ତି। ଏହି ଦୁଇ ଜଣ ଖେଳାଳି ବର୍ତ୍ତମାନ ସମୟରେ ଅନେକ ମ୍ୟାଚ ଖେଳି ଜବରଦସ୍ତ ପ୍ରଦର୍ଶନ କରି ଭାରତୀୟ ଦଳକୁ ଐତିହାସିକ ମ୍ୟାଚ ଜିତାଇଛନ୍ତି।
ଏହାପରେ ମଧ୍ୟ ଭାରତୀୟ ପୂର୍ବତନ କ୍ରିକେଟର ୱାସିମ ଜାଫରଙ୍କୁ ଲାଗୁଛି ଯେ, ଆଗାମୀ ୨୦୨୪ ଟି-ଟ୍ୱେଣ୍ଟି ବିଶ୍ୱକପରେ ବିରାଟ କୋହଲିଙ୍କୁ ଭାରତୀୟ ଦଳରେ ମୌକା ମିଳିପାରେ। କିନ୍ତୁ ରୋହିତ ଶର୍ମା ଖେଳି ନ ପାରନ୍ତି। ଏହାର ପ୍ରମୁଖ କାରଣ ତାଙ୍କର ବୟସ ବୋଲି ସେ କହିଛନ୍ତି।
ଜାଫର ପୂର୍ବତନ ପାକିସ୍ତାନ କ୍ରିକେଟର ବାସିତ ଅଲ୍ଲୀଙ୍କ ସହିତ ୟୁଟ୍ୟୁବରେ କଥାବାର୍ତ୍ତା ସମୟରେ କହିଥିଲେ ଯେ,’ ଆଗାମୀ ସିରିଜକୁ ନଜରରେ ରଖି କୋହଲି ଏବଂ ରୋହିତଙ୍କୁ ଶ୍ରୀଲଙ୍କା ଏବଂ ନ୍ୟୁଜିଲାଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜରୁ ଵିଶ୍ରାମ ଦିଆ ଯାଇଥିଲା।
ଆଗକୁ ଅଷ୍ଟ୍ରେଲିଆ ବିପକ୍ଷରେ ବର୍ଡର-ଗାଭାସ୍କର ଟ୍ରଫି, ଆଇପିଏଲ ଏବଂ ଏହା ପରେ ଦିନିକିଆ ବିଶ୍ୱକପ ହେବାକୁ ଥିବାରୁ ଉଭୟଙ୍କୁ ବିଶ୍ରାମ ଦିଆ ଯାଇଥିଲା। ବର୍ତ୍ତମାନ ଭାରତୀୟ ଦଳ ପାଖରେ ଆଇସିସି ବିଶ୍ୱ ଟେଷ୍ଟ ଚମ୍ପିୟାନସିପର ଫାଇନାଲରେ ପହଂଚିବାର ମୌକା ରହିଛି।’
ସେ କହିଥିଲେ ଯେ,’ ଯଦି ଭବିଷ୍ୟତକୁ ଦେଖିବା ତେବେ, ଟି-ଟ୍ୱେଣ୍ଟି ଫର୍ମାଟ ଯୁବ ଖେଳାଳିମାନଙ୍କ ପାଇଁ ଅଟେ। ମୁଁ ମୋ ନିଜର ନଜର ଅନୁସାରେ କହୁଛି ଯେ, ଆଗାମୀ ଭାରତୀୟ ଟି-ଟ୍ୱେଣ୍ଟି ଦଳରେ ରୋହିତ ଥିବା ମୁଁ ଦେଖୁ ନାହିଁ। ବର୍ତ୍ତମାନ ତାଙ୍କ ବୟସ ୩୫ ବର୍ଷ ହୋଇଥିବା ବେଳେ ସେ ୨୦୨୩ ମସିହା ଅପ୍ରେଲ ୩୦ ରେ ୩୬ ବର୍ଷ ବୟସର ହୋଇଯିବେ।’
ଜାଫରଙ୍କ ମତରେ ବିଶ୍ୱକପକୁ ଧ୍ୟାନରେ ରଖି ବିସିସିଆଇ ରୋହିତ ଏବଂ ବିରାଟଙ୍କୁ ଅଧିକ ରୁ ଅଧିକ ସମୟ ପର୍ଯ୍ୟନ୍ତ ବିଶ୍ରାମ ଦେବାକୁ ଚେଷ୍ଟା କରିବ। ତେବେ ଭବିଷ୍ୟତରେ ଯୁବ ଖେଳାଳିଙ୍କୁ ତାଙ୍କର ଦରକାର ପଡିବ କି ନାହିଁ ଏହାର ଉତ୍ତରରେ ସେ କହିଥିଲେ ଯେ, ଯୁବ ଖେଳାଳିଙ୍କୁ ତାଙ୍କର କିଛି ଦରକାର ପଡିବ ନାହିଁ। କାରଣ ଯୁବ ଖେଳାଳି ଆଇପିଏଲରେ ଏତେ ମ୍ୟାଚ ଖେଳୁଛନ୍ତି ଯେ, ତାଙ୍କୁ କୌଣସି ମାର୍ଗଦର୍ଶକର ଆବଶ୍ୟକତା ନାହିଁ।