ବିଗତ ପ୍ରାୟ ତିନି ମାସ ଧରି ଗାଡ଼ି ଡିଏଲ୍ (ଡ୍ରାଇଭିଂ ଲାଇସେନ୍ସ) ଏବଂ ଲର୍ଣ୍ଣିଂ ପ୍ରମାଣପତ୍ର ପାଇଁ ହେଉଥିବା ପରୀକ୍ଷା ବନ୍ଦ ରହିଛି । ତେବେ ପୁଣି ଆଜିଠୁ ଡିଏଲ୍ ସ୍ଲଟ୍ ପାଇଁ ବୁକିଂ ଆରମ୍ଭ ହୋବକୁ ଯାଉଛି । ଆସନ୍ତା ୧୮ତାରିଖରୁ ଡିଏଲ୍ ଏବଂ ୨୯ ତାରିଖରୁ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଟେଷ୍ଟ ଆରମ୍ଭ ହେବ ବୋଲି ରାଜ୍ୟ ପରିବହନ କମିସନରଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି । କିନ୍ତୁ ଲକ୍ଡାଉନ୍ ସମୟ ମଧ୍ୟରେ ଯେଉଁମାନଙ୍କର ସ୍ଲଟ୍ ବୁକିଂ ହୋଇଥିବ ସେହିମାନଙ୍କୁ କେବଳ ଏହି ସୁଯୋଗ ଦିଆଯିବ । କାହାର ନୂତନ ଆବେଦନ ଗ୍ରହଣ କରାଯିବ ନାହିଁ ।
ଏହାଛଡ଼ା, ଜୁନ୍ ମାସର ସଟ୍ଡାଉନ୍ ଦିନ ସମସ୍ତ ପରୀକ୍ଷା ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଯେଉଁମାନଙ୍କର ଏହି ଦୁଇଟି ଲାଇସେନ୍ସ ପାଇଁ ଲକ୍ଡାଉନ୍ ସମୟରେ ସ୍ଲଟ୍ ବୁକିଂ କରାଯାଇଥିଲା ସେମାନଙ୍କର ପୁରୁଣା ସ୍ଲଟ୍ ତାରିଖକୁ ବାତିଲ୍ କରି ଦିଆଯାଇଛି ।

ସେମାନେ ଏବେ ଆର୍ଟିଓଙ୍କ ନିକଟରେ ସାନି ଆବେଦନ କରିବେ । ଆଜି ଠାରୁ ଡିଏଲ୍ ସ୍ଲଟ୍ ପାଇଁ ବୁକିଂ କରାଯିବ । ସେହିପରି ଲର୍ଣ୍ଣିଂ ଲାଇସେନ୍ସ ସ୍ଲଟ୍ ବୁକିଂ ପାଇଁ ଆବେଦନ ତାରିଖ ୨୨ତାରିଖକୁ ଧାର୍ଯ୍ୟ କରାଯାଇଛି । ସକାଳ ୭ଟାରୁ ଏହି ସ୍ଲଟ୍ ବୁକିଂ ଆରମ୍ଭ ହୋଇ ରାତି ୧୦ଟା ପର୍ଯ୍ୟନ୍ତ ଚାଲିବ। ସ୍ଲଟ୍ ବୁକିଂ ହେବାର ୭ଦିନ ମଧ୍ୟରେ ଲାଇସେନ୍ସ ପାଇଁ ପରୀକ୍ଷା ଦେବାକୁ ପଡ଼ିବ । ଆଗରୁ ଏଥିପାଇଁ ୯୦ ଦିନ ସମୟ ନେବାକୁ ପଡୁଥିଲା ।
୧୮ରୁ ଡିଏଲ୍, ୨୯ରୁ ଲର୍ଣ୍ଣିଂ ଟେଷ୍ଟ
ତେବେ ପୂର୍ବରୁ ଦିନକୁ ଡିଏଲ୍ ପାଇଁ ଯେତିକି ସ୍ଲଟ୍ ବୁକିଂ ହେଉଥିଲା ତାହାର ୪୦% ଏବଂ ଏଲ୍ଏଲ୍ର ୫୦% ସ୍ଲଟ୍ ବୁକିଂ କରାଯିବ ବୋଲି ଏସ୍ଟିଏ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଆସନ୍ତା ୧୨ରୁ ୧୭ ତାରିଖ ଛୁଟି ରହୁଥିବାରୁ ଏହି ସମୟରେ ଡିଏଲ୍ ଟେଷ୍ଟକୁ ବାତିଲ୍ କରାଯାଇଛି । ସେହିପରି ୧୨ରୁ ୨୮ ତାରିଖ ପର୍ଯ୍ୟନ୍ତ ଏଲ୍ଏଲ୍ ଟେଷ୍ଟକୁ ବାତିଲ୍ କରାଯାଇଛି । ଟେଷ୍ଟ ପାଇଁ ଆସୁଥିବା ଲର୍ଣ୍ଣର ମାନେ ସାଥିରେ କାହାକୁ ଆଣିବେ ନାହିଁ । ଗହଳିକୁ କମାଇବା ଲକ୍ଷ୍ୟରେ ଡିଏଲ୍ ଟେଷ୍ଟ ସମୟ ୩୦ମିନିଟ୍ରୁ ଅଧିକ ହେବ ନାହିଁ ଏବଂ ଏଲ୍ଏଲ୍ ଟେଷ୍ଟ ସମୟ ୨୦ମିନିଟ୍ରୁ ଅଧିକ ହେବ ନାହିଁ ।

ଆର୍ଟିଓମାନେ କାର୍ଯ୍ୟାଳୟରେ ସାମାଜିକ ଦୂରତ୍ୱ ରକ୍ଷା ଉପରେ ଗୁରୁତ୍ୱ ଦେବେ । କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଯେପରି ମାସ୍କ ପିନ୍ଧି ଆସିବେ ତାହାକୁ ବାଧ୍ୟତାମୂଳକ କରାଯିବ । ଡିଏଲ୍ ଏବଂ ଏଲ୍ଏଲ୍ ପରୀକ୍ଷା ପ୍ରବେଶ ଦ୍ୱାରରେ ଥର୍ମାଲ ସ୍କାନିଂ କରାଯିବ । ନିୟମିତ ବ୍ୟବଧାନରେ ଆର୍ଟିଓଙ୍କ କାର୍ଯ୍ୟାଳୟ, ଡିଏଲ୍ ଏବଂ ଏଲ୍ଏଲ୍ ପରୀକ୍ଷା ହେଉଥିବା ସ୍ଥାନର ବିଶୋଧନ କରାଯିବା ଦିଗରେ ଆର୍ଟିଓମାନେ ପଦକ୍ଷେପ ନେବେ ବୋଲି ଏସ୍ଟିଏ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ, ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।