ବ୍ୟୁରୋ ରିପୋର୍ଟ: ଭାରତ ଏବଂ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ ଆରମ୍ଭ ହେବା ପୂର୍ବରୁ ବିସିସିଆଇର ଜଣେ ସଦସ୍ୟ କେ ଏଲ ରାହୁଲଙ୍କ ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି। କେ ଏଲ ରାହୁଲ ବିଶ୍ରାମ ପରେ ଦଳକୁ ଫେରୁଛନ୍ତି। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆଗାମୀ ଫେବୃୟାରୀ ୯ ତାରିଖରୁ ପ୍ରଥମ ଟେଷ୍ଟ ସିରିଜ ନାଗପୁରରେ ଆରମ୍ଭ ହେବାକୁ ଯାଉଛି। କେ ଏଲ ରାହୁଲ ଦଳରେ କେଉଁ ଭୂମିକା ତୁଲାଇବେ ସେ ନେଇ ଜଣେ ବିସିସିଆଇ ସଦସ୍ୟ ବୟାନ ଦେଇଛନ୍ତି।
ଗତ କିଛି ସମୟ ଧରି କେ ଏଲ ରାହୁଲ ଏବଂ ରୋହିତ ଶର୍ମା ଭାରତୀୟ ଟେଷ୍ଟ ଦଳ ପାଇଁ ପ୍ରଥମ ଓପନିଙ୍ଗ ପସନ୍ଦ ରହି ଆସିଛନ୍ତି। ଶୁଭମନ ଗିଲ ବର୍ତ୍ତମାନ ଜବରଦସ୍ତ ଫର୍ମରେ ଅଛନ୍ତି।
ତେଣୁ ସେ ଦଳର ଆରମ୍ଭ କରି ପାରନ୍ତି। କିନ୍ତୁ ଅନ୍ୟ କେତେ ଜଣଙ୍କ ମତରେ କେ ଏଲ ରାହୁଲ ୱିକେଟ କିପର ଭାବରେ ଦଳରେ ସାମିଲ ହୋଇ ପାରନ୍ତି। କିନ୍ତୁ ବିସିସିଆଇ ସଦସ୍ୟ ଏହା ଜଣାଇ ଦେଇଛନ୍ତି ଯେ, ସେ ୱିକେଟ କିପର ଦାୟିତ୍ବ ସମ୍ଭାଳିବେ ନାହିଁ। ଏହା ସହିତ ତାଙ୍କୁ ଚୂଡାନ୍ତ ଏକଦଶରେ ସ୍ଥାନ ମିଳିବା ମଧ୍ୟ ମୁସ୍କିଲ ଅଟେ।
ବିସିସିଆଇର ଜଣେ ସଦସ୍ୟ କହିଛନ୍ତି ଯେ,’ ଗତ କିଛି ମାସରେ କେ ଏଲ ରାହୁଲଙ୍କୁ ବହୁତ ଆଘାତ ଆସିଛି। ଏପରି ପରିସ୍ଥିତିରେ ସେ ଉଇକେଟ କିପିଙ୍ଗ କରିବା ଠିକ ହେବ ନାହିଁ। ଦଳକୁ ଏକ ଅଭିଜ୍ଞ ଉଇକେଟ କିପର ଦରକାର। ତେବେ ଟିମ ମ୍ୟାନେଜମେଣ୍ଟ ଏଥିନେଇ ଇଶାନ କିଷାନ ଏବଂ କେ ଏସ ଭରତଙ୍କ ମଧ୍ୟରୁ ଜଣଙ୍କୁ ଚୟନ କରିପାରନ୍ତି।’
କେ ଏଲ ରାହୁଲ ଭାରତ ପକ୍ଷରୁ ୪୫ ଟି ଟେଷ୍ଟ ମ୍ୟାଚ ଖେଳି ୩୪.୨୬ ଔସତରେ ୨୬୦୪ ରନ କରିଛନ୍ତି। ସେ ୧୩ ଟି ଅର୍ଦ୍ଧଶତକ ଏବଂ ୭ ଟି ଶତକ ଲଗାଇଛନ୍ତି। କେ ଏଲ ରାହୁଲ ଭାରତ ପାଇଁ ୫୧ ଟି ଦିନିକିଆ ଏବଂ ୭୨ ଟି ଟି-ଟ୍ୱେଣ୍ଟି ମ୍ୟାଚ ଖେଳି ସାରିଛନ୍ତି। ରାହୁଲ ଜଣେ ଜବରଦସ୍ତ ଖେଳାଳି। ସେ ଅନେକ ମ୍ୟାଚ ବିଜୟୀ ପାରି ଖେଳିଛନ୍ତି। କେ ଏସ ଭରତ ବି ୱିକେଟ କିପର ଭାବେ ଖେଳିପାରନ୍ତି।