କୁହୁଡି ଭରା ରାତି କୋହ ଭରା ଛାତି
ମୁଁ ନୂଆବର୍ଷ ପାଇଁ ଛୁଟି ନେଇ ସେଦିନ ରାଉରକେଲାରୁ ଟ୍ରେନ ଯୋଗେ ଘରକୁ ଆସୁଥାଏ ।ସେଦିନ କୌଣସି ଏକ ଦୁର୍ଘଟଣା ପାଇଁ ଟ୍ରେନ ଭଦ୍ରକରେ ପହଞ୍ଚିବାକୁ ପାଖାପାଖି ଆଠ ଘଣ୍ଟା ବିଳମ୍ବ ହେବାରୁ ମୁଁ ମୋର ସାନ ଭାଇକୁ ଷ୍ଟେସନ ଆସିବାକୁ ମନାକରିଦେଇଥିଲି । ଶେଷରେ ଟ୍ରେନ ଆସି ଭଦ୍ରକ ଷ୍ଟେସନରେ ପହଞ୍ଚିଲା ରାତି ପାଖାପାଖି ଗୋଟାଏ ହେବ ।
ଷ୍ଟେସନ ଠାରୁ ଆମ ଘର ବହୁ ଦ୍ୱର ତେଣୁ ରାତିରେ କେହି ଗାଡିବାଲା ଯିବାକୁ ରାଜି ହେଲେନାହିଁ ତେଣୁ ଭାବିଲି ରାତିଟା କୌଣସି ହୋଟେଲ କିମ୍ବା ଲଜରେ ରହିଯିବି ସକାଳ ହେଲେ ଘରକୁ ଯିବି କାରଣ ଡିସେମ୍ବର ମାସ ଶେଷ ହାଡଭଙ୍ଗା ଶୀତ ପରି ପ୍ରବଳ ଶୀତ ହେଉଥାଏ । ତେଣୁ ମୁଁ ଆଉ କିଛି ନ ଭାବି ହୋଟେଲ କିମ୍ବା ଲଜ୍ ଅଭିମୁଖେ ଆଗେଇ ଚାଲିଲି । ଶୀତୁଆ ରାତି ରାସ୍ତା ଘାଟ ପୂରା ଶୂନଶାନ କେହି କୁଆଡେ ନଥାନ୍ତି ରାସ୍ତାରେ କୁକୁର ମାନଙ୍କର କାନ୍ଦିବାର ସ୍ୱର ଶୁଣା ଯାଉଥାଏ ।
ଚାରିଆଡେ ଘନ କୁହୁଡି ଘୋଟିଥାଏ ପାଖକୁ ପାଖକୁ ଲୋକ ଦେଖା ଯାଉ ନଥାନ୍ତି ଏମିତି ନିଃସବ୍ଦ ରାତିରେ ଏକା ଚାଲୁ ଚାଲୁ ଜଣେ ବୁଢି ସ୍ତ୍ରୀ ଲୋକର କାନ୍ଦିବା ସ୍ୱର ଶୁଣାଗଲା ରାସ୍ତା ପାଖରେ ଥିବା ଦୋକନ ସମ୍ମୁଖରେ । କିନ୍ତୁ ହଠାତ୍ ଠିକ ସେଇ ସମୟରେ ଲାଇନ ଚାଲିଯିବାରୁ କିଛି ଦିଶୁ ନଥାଏ ଏବଂ ପ୍ରବଳ କୁହୁଡି ବି ହୋଇଥାଏ ।
ନିଜକୁ ଭାରି ଡର ବି ଲାଗୁଥାଏ କାରଣ ଏଇ ହାଡଭଙ୍ଗା ଶୀତ ରାତି ଆଉ ଶୂନଶାନ ରସ୍ତାରେ କିଏ ବା କାଇଁ ବସି କାନ୍ଦୁଥିବ କିନ୍ତୁ ମନ ବୁଝୁ ନଥାଏ ଏତେ ରାତିରେ ସେ ସ୍ତ୍ରୀ ଲୋକର କାନ୍ଦ ଶୁଣି । ମନରେ ଡର ଥାଏ କିନ୍ତୁ ସାହସ କରି ପକେଟରୁ ମୋବାଇଲଟି କାଢି ମୋବାଇଲ ଲାଇଟ୍ ମାରି ସେ ବୁଢି ସ୍ତ୍ରୀ ଲୋକ କାନ୍ଦୁଥିବା ଦୋକନ ସମ୍ମୁଖ ଆଡକୁ ଗଲି ।
ଆଉ ଯାଇ ଯାହା ଦେଖିଲି ନିଜେ ନିଜକୁ ବି ସହିପାରିଲିନି କାହିଁକିନା ସେ ବୁଢି ସ୍ତ୍ରୀ ଲୋକଟିର ବୟସ ପଖାପାଖି ଅଶି ରୁ ପଞ୍ଚାଅଶି ହେବ । ପାଖରେ ବି କେହି ନାହାନ୍ତି ଏତେ ଶୀତ ରାତିରେ ପାଖରେ ଘୋଡେଇ ହେବା ପାଇଁ ବି କିଛି ନାହିଁ । ଏ ହାଡ ଭଙ୍ଗା ଶୀତରେ ବୁଢିଟି ବରଡା ପତର ପରି ଥରୁ ଥାଏ । ସେ ବୁଢି ସ୍ତ୍ରୀ ଲୋକର ଏମିତି ଦୁଃର୍ଦଶା ଦେଖି ମୁଁ ନିଜକୁ ରୋକି ପାରିଲିନି ମୁଁ ଟ୍ରେନରେ ଘୋଡି ଆସିଥିବା କମଳଟିକୁ ମୋ ବ୍ୟାଗରୁ କାଢି ସେ ବୁଢିକୁ ଘୋଡାଇଦେଇ ସେଠାରେ ବସିଲି ଆଉ ସେ ବୁଢି ଲୋକଟିର ନାଁ ପଚାରିଲି ।
ବୁଢ଼ୀ ମା’ ର କୋହ ଭରା କାହାଣୀ

କିନ୍ତୁ ସେ ଠିକ୍ ଭାବରେ କଥା ବି କହିପାରୁନଥାଏ ତଥାପି ତାର ନାଁ ରେବ ବୋଲି କହିଲା । ଘର ପଚାରିବାରୁ ଗୋଟେ ମଫସଲି ଗାଁ ନାଁଟେ କହିଲା । ମୁଁ ସେ ବୁଢି ସ୍ତ୍ରୀ ଲୋକକୁ ପଚାରିଲି ଏତେ ରାତିରେ ତୁମେ ଏଠି କ’ଣ କରୁଛ ? ତୁମର କ’ଣ କେହି ନାହାନ୍ତି କି ତୁମର ଘର ନାହିଁ? ଏତିକି କଥା ଶୁଣି ମୋର ବୁଢି ଟି ଭୋ ଭୋ କରି କାନ୍ଦି ଉଠିଲା ଆଉ କାନ୍ଦି କାନ୍ଦି କହିଚାଲିଲା ତା’ର ଛାତିରେ ଥିବା ସେଇ କୋହ ଭରା କାହାଣୀ ।
ବୁଢି କହିଲା ତା’ର ଦୁଅଟି ପୁଅ ଓ ଗୋଟାଏ ଝିଅ ଅଛି । ଦୁଇ ପୁଅ ବାହା ହେଇସାରିଛନ୍ତି ବୋହୂ ବି ଅଛନ୍ତି । ଝିଅ ଅଛି ନାତି ନାତୁଣି ବି ଅଛନ୍ତି । ସେ ମୋତେ ଛାଡି କୋଡିଏ ବର୍ଷ ହେବ ଆରପାରିକୁ ଚାଲିଗଲେଣି କିନ୍ତୁ ପୁଅ, ଯଉ ପୁଅ ଝିଅଙ୍କୁ ଜନମ କରି ଛୋଟରୁ ବଡ କଲି ହେଲେ ସେହି ମାନେ ଆଜି ମୋତେ ଏଇଠି ଛାଡି ଯାଇଛନ୍ତି । ସେମାନଙ୍କ ପାଇଁ ମୁଁ ଆଜି ବୋଝ ହେଇଯାଇଛି ।
ବୁଝିଲୁ ପୁଅ, ପୁଅ ଦୁହେଁ ଆଉ ଝିଅ ଘର ଜମି ବାଡି ପାଇଁ ଝଗଡା ଲାଗି ଅଲଗା ଅଲଗା ହୋଇ ରହିଲେ । ତାଙ୍କ ବାପ ଗଲାପରେ ମୋତେ ସେମାନଙ୍କ ପାଖରେ ଭାଗ କରିଦେଲେ । ବଡପୁଅ ପାଖେ ମାସଟେ ସାନପୁଅ ପାଖେ ମାସଟେ ରହିବି ବାକି ଆଉ ଯଉ ମାସ ଏକତିରିଶି ଦିନ ସେଦିନ କହିଲେ ନସରେ ଉପାସ ନହେଲେ କଉ ମନ୍ଦିର କିମ୍ବା କାହା ଘରେ ମାଗି ଖାଏ ଆଉ ସେଇଠି ଶୁଏ । ଆଉ ଏବେ ସେମାନଙ୍କର ପୁଅ ଝିଅ ହେଲାପରେ ମୋତେ ପଚାରେ କିଏ । ଭଲ ମନ୍ଦ କିଛି କହିଲେ କହୁଛନ୍ତି ନିଜ ପିଲା ଛୁଆଙ୍କ କଥା ନିଜେ ବୁଝିପାରୁନୁ ଆଉ ତୁ ବଢିଟା ତୋ କଥା କେମିତି ବୁଝିବୁ ।
ହଁ ! ସେମାନଙ୍କ ପାଇଁ ମୁଁ ଆଜି ବୁଢି ପାଲଟି ଯାଇଛି ବୋଝ ହେଇଯାଇଛି କିଛି କାମ ଧନ୍ଦା କରିପାରୁନାହିଁ ସେମାନେ କ’ଣ ପାଇଁ ମୋ କଥା ବୁଝିବେ ?
କୁହୁଡି ଭରା ରାତି କୋହ ଭରା ଛାତି, ବୁଢ଼ୀ ମା’ ର କୋହ ଭରା କାହାଣୀ
ସେମାନେ କାଉଁ ବୁଝିବେ ଗୋଟେ ମାଆ ତାର ଛାତିରୁ କ୍ଷୀର ଖୁଆଇ ଏତେ ବଡ ସୁସ୍ଥ ସବଳ କରିଛି କେତେ ଦୁଃଖ କଷ୍ଟରେ ଏବେ ସେମାନଙ୍କ ପାଇଁ କିଛି କରିପାରୁନାହିଁ ବୋଲି ଆଣି ଏଠାରେ ଛାଡି ଦେଇ ଯାଇଛନ୍ତି । ଏ ହାଡଭଙ୍ଗା ଜାଡରେ ହାତ ଗୋଡ କିଛି କାମ କରୁନାହିଁ ଯିବି କୁଆଡେ ଦେହରେ ବଳ ବି ନାହିଁ ଯେ କଉଠି କାମ ପାଇଟି କରି ପେଟକୁ ଦାନା ଦେବି । ଦି ଦିନ ହେଇଗଲା କିଛି ଖାଇନାହିଁ ସେ ବୁଢି ସ୍ତ୍ରୀ ଲୋକଟିର ଏ ସବୁ କଥା ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି । କାହିଁକି ନା ଯଉ ମାଆ ନିଜର ଛାତିରୁ କ୍ଷୀର ଖୁଆଇ ତା’ର ପିଲାମାନଙ୍କୁ ଛୋଟରୁ ବଡ କଲା । ସୁସ୍ଥ ସବଳ କଲା ଆଜି ସେମାନେ ସେଇ ମାଆକୁ ବୋଝ ଭାବି ଆଣି ରାସ୍ତା କଢରେ ଛାଡି ଚାଲି ଯାଇଛନ୍ତି । ଦେହକୁ ଖଣ୍ଡେ କନା ଖାଇବାକୁ ମୁଠେ ଦାନା ସେମାନେ ତାଙ୍କ ମାଆକୁ ଦେଇପାରୁନାହାନ୍ତି ।
ମୁଁ ଆଉ କିଛି କଥା ନଭାବି,ମୋ ଖାଇବା ପାଇଁ ଆଣିଥିବା ପାଉଁରୁଟି ଆଉ କଦଳୀ ବ୍ୟାଗରୁ କାଢି ସେଇ ବୁଢି ସ୍ତ୍ରୀକୁ ଖାଇବାକୁ ଦେଲି। ସେ ଖାଉ ଖାଉ କାନ୍ଦି ପକାଉଥାନ୍ତି ତାଙ୍କର ସେ ଆଖିର ଲୁହ ଆଉ ଛାତି ଭିତରେ ଥିବା କୋହକୁ ମୁଁ ବୁଝିପାରିଥିଲି ଗୋଟେ ମାଆ କେତେ ଦୁଃଖ କଷ୍ଟ ସହିପାରେ ତା ଜୀବନ କାଳ ଭିତରେ ଯାହାକୁ ଆଉ କିଏ ପାରନ୍ତି ନାହିଁ କଉ ଜନମରେ।
ସେ ବୁଢି ସ୍ତ୍ରୀ ଲୋକର କଥା ଶୁଣୁଶୁଣୁ ସକାଳ ପ୍ରାୟ ହେଇଗଲା ତେଣୁ ମୁଁ ଆଉ ହୋଟେଲକୁ ଗଲିନାହିଁ କି ଯିବା ପାଇଁ ବି ଆଉ ମନ ନଥିଲା କାହିଁକି ନା ସେ ବୁଢି ମାଆକୁ ଏମିତି ଏକୁଟିଆ ଛାଡି ଯିବାକୁ ଇଚ୍ଛା ହେଉ ନଥିଲା । ସକାଳ ହେବାରୁ ଏକ ଗାଡିରେ ସେ ବୁଢି ମାଆକୁ ନେଇ ଏକ ଜରାଶ୍ରମରେ ଛାଡିଲି । ସେଠାରୁ ଆସିଲାବେଳେ ସେ ମାଆର ଆଖିରେ ଲୁହ ଆଉ ଓଠରେ ହସ ଦେଖିଲି ମୁଁ, ସେ ବୁଢି ମାଆକୁ ପଚାରିଲି ମାଆ ତୋ ଆଖିରେ ଲୁହ ଆଉ ଓଠରେ ହସ କ’ଣ ପାଇଁ ? ସେ ବୁଢି ମାଆଟି କହିଲା ଏ ଆଖିର ଲୁହ ସେଇ ପୁଅ ମାନଙ୍କ ପାଇଁ ଯେଉଁମାନେ ନିଜର ହୋଇବି ନିଜ ଜନ୍ମ କଲା ବାପା ମାଆ ମାନଙ୍କୁ ଏଇ ବୟସରେ ବେସାହାରା କରିଦେଉଛନ୍ତି ନିଜର ସୁଖ ଶାନ୍ତି ପାଇଁ ।
ମା’ ସବୁବେଳେ ମା’, ନିଜ ଗୋଡ଼ରେ ଛିଡା ହେଇଗଲେ ଭୁଲି ଯାଅନି ଯେ ତମକୁ କିଏ ଛିଡା ହେବ ଶିଖେଇଥିଲା ।
ସେମାନେ ଏକଥା ଭାବୁ ନାହାନ୍ତି ଯେ ସେମାନେ ବି କାହାରି ବାପା ମାଆ ଆଉ ସେମାନେ ବି ଦିନେ ବୁଢା ବୁଢି ହେବେ । ସେମାନଙ୍କର ପିଲାମାନେ ଯଦି ସେତେବେଳେ ଏମିତି କରିବେ ତାହା ହେଲେ ସେମାନେ କରିବେ କ’ଣ ? ଆଉ ଓଠରେ ହସ ଏଇଥି ପାଇଁ ତୁ ପୁଅ ନିଜର ନ ହେଇ ବି ଯାହା କରିଛୁ ତା କେହି କରିବେ ନାହିଁ ଆଜିକା ଦୁନିଆରେ । ମୁଁ ତୋତେ ଆଶ୍ରିବାଦ କରୁଛି ତୁ ଭଲରେ ରହ ହସ ଖୁସିରେ ସବୁବେଳେ ରହ ଏହା କହି ମୋତେ ତା କୋଳକୁ ନେଇ ମୋ ମଥାକୁ ଆଉଁସି ମୋତେ ଗେହ୍ଲ କରିପକେଇଲା ଆଉ ଖୁସିରେ କାନ୍ଦିପକେଇଲା । ସେ ବୁଢି ମାଆକୁ ବୁଝେଇ ତାକୁ ପ୍ରଣାମ କରି ଘରକୁ ଫେରିଥିଲି ଏବଂ ସମୟ ପାଇଲେ କେତେବେଳେ ଜରାଶ୍ରମକୁ ଯାଇ ସେ ବୁଢି ମାଆକୁ ଦେଖାକରି ଆସେ ।
କାହାଣୀ କେମିତି ଲାଗୁଛି ତଳେ କାମେଣ୍ଟରେ ଜଣେଇବାକୁ ଅନୁରୋଧ ।
ପାଗଳ ସତ୍ୟ
ସତ୍ୟବାନ ନାୟକ
କୋଡଗମ୍ଭୀର,ଚଣ୍ଡିଗାଁ,ଚରମ୍ପା,ଭଦ୍ରକ
ଇ-ମେଲ: satyabannayak1995@gmail.com