IPL 2023 ପୂର୍ବରୁ ରାଜସ୍ଥାନ ଦଳରେ ସାମିଲ ହେଲେ ସ୍ୱିଙ୍ଗ ବୋଲର ସନ୍ଦୀପ ଶର୍ମା, ପଢନ୍ତୁ ପୁରା ଖବର

ବ୍ୟୁରୋ ରିପୋର୍ଟ: ଆଇପିଏଲ ୨୦୨୩ ଆରମ୍ଭ ହେବା ଲାଗି ଆଉ କିଛି ଦିନ ରହିଛି। ମାର୍ଚ୍ଚ ୩୧ ତାରିଖରୁ ଆଇପିଏଲର ୧୫ତମ ସିଜିନ ଆରମ୍ଭ ହେବାକୁ ଯାଉଛି। ସମସ୍ତ ଦଳ ଏଥିପାଇଁ ପ୍ରସ୍ତୁତିରେ ଲାଗି ଯାଇଛନ୍ତି। ଆଇପିଏଲ ୨୦୨୨ ସିଜିନର ଫାଇନାଲ୍ ଦଳ ରାଜସ୍ଥାନ ରୟାଲସ୍ ପ୍ରସିଦ୍ଧ କ୍ରୀଷ୍ଣାଙ୍କ ଇଂଜୁରୀ ନେଇ ଚିନ୍ତାରେ ଅଛନ୍ତି। ତେଣୁ ଦଳ ତାଙ୍କର ବିକଳ୍ପ ଖେଳାଳି ଭାବରେ ଦଳରେ ସନ୍ଦୀପ ଶର୍ମାଙ୍କୁ ସାମିଲ କରିଛି। ସନ୍ଦୀପ ପ୍ରଥମ ମ୍ୟାଚ ଖେଳୁଥିବାର ନଜର ଆସିପାରନ୍ତି।

ନିଜ ଇଂଜୁରୀ ପାଇଁ ଦୀର୍ଘ ଦିନ ଧରି ଭାରତୀୟ ଦଳରୁ ଦୂରରେ ରହିଥିବା ପ୍ରସିଦ୍ଧ କ୍ରୀଷ୍ଣା ଆଇପିଏଲରୁ ମଧ୍ୟ ବାହାର ହୋଇ ଯାଇଛନ୍ତି। ତାଙ୍କ ବିକଳ୍ପ ଭାବରେ ସନ୍ଦୀପ ଶର୍ମାଙ୍କୁ ଦଳରେ ସାମିଲ କରାଯାଇଛି। ରାଜସ୍ଥାନ ରୟାଲସ୍ ନିଜର ଟୁଇଟର ହ୍ୟାଣ୍ଡେଲରେ ସନ୍ଦୀପଙ୍କ ଏକ ଫଟୋ ସେୟାର କରି ତାଙ୍କ ସମ୍ପର୍କରେ ଉଲ୍ଲେଖ କରିଛି।

ସନ୍ଦୀପ ଶର୍ମାଙ୍କୁ ମିନି ଅକ୍ସନରେ କୌଣସି ଦଳ କିଣି ନଥିଲେ। ପଞ୍ଜାବ ପକ୍ଷରୁ ଡୋମେଷ୍ଟିକ୍ କ୍ରିକେଟରେ ଜବରଦସ୍ତ ପ୍ରଦର୍ଶନ କରିଥିବା ସନ୍ଦୀପ ସନରାଇଜର୍ସ ହାଇଦ୍ରାବାଦ ଏବଂ ପଞ୍ଜାବ କିଂଗ୍ସ ପକ୍ଷରୁ ଖେଳି ସାରିଛନ୍ତି। ସେ ଆଇପିଏଲରେ ବିରାଟ କୋହଲିଙ୍କୁ ୭ ଥର ଆଉଟ କରି ସାରିଛନ୍ତି। ଏହା ବ୍ୟତୀତ ସେ ଗୋଟିଏ ମ୍ୟାଚରେ କ୍ରିସ ଗେଲ, ବିରାଟ କୋହଲି ଏବଂ ଏବି ଡିଭିଲିୟର୍ସଙ୍କୁ ଆଉଟ କରିଥିବା ପ୍ରଥମ ବୋଲର ହୋଇଥିଲେ।

ଟିମ ଇଣ୍ଡିଆ ତରଫରୁ ଅନ୍ତର୍ଜାତୀୟ ସ୍ତରରେ ସେ ୨ ଟି ଟି-ଟ୍ୱେଣ୍ଟି ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଖେଳି ଗୋଟିଏ ୱିକେଟ ଅକ୍ତିଆର କରିଛନ୍ତି। ସେ ୫୨ ଟି ପ୍ରଥମ ଶ୍ରେଣୀ କ୍ରିକେଟ ମ୍ୟାଚ ଖେଳି ୧୮୩ ଟି ୱିକେଟ ଏବଂ ୬୧ ଟି ଲିଷ୍ଟ-ଏ କ୍ରିକେଟରେ ୯୮ ଟି ୱିକେଟ ନେଇଛନ୍ତି। ଏହା ସହିତ ସେ ଗୋଟିଏ ଅର୍ଦ୍ଧଶତକ ମଧ୍ୟ ଲଗାଇଛନ୍ତି। ସେ ଆଇପିଏଲରେ ୧୦୪ ଟି ମ୍ୟାଚ ଖେଳି ୨୬.୩୩ ଅଉସତରେ ୭.୭୭ ଇକୋନୋମିରେ ୧୧୪ ଟି ୱିକେଟ ନେଇଛନ୍ତି। ତାଙ୍କ ପାଖରେ ସ୍ୱିଙ୍ଗ କରିବାର କ୍ଷମତା ରହିଛି।

IPL 2023 ମାର୍ଚ୍ଚ ୩୧ ତାରିଖରେ ଆରମ୍ଭ ହେବାର ଅଛି। ପ୍ରଥମ ମ୍ୟାଚ ଚେନ୍ନାଇ ଓ ଗୁଜରାଟ ଭିତରେ ଖେଳାଯିବାର ଅଛି।

Leave a Reply

Your email address will not be published. Required fields are marked *