ଧାୱନ ଓ ଗିଲଙ୍କୁ ପଛରେ ପକାଇଲେ ଅୟର! ହାସଲ କଲେ ଏହି କୀର୍ତ୍ତିମାନ, ଜାଣନ୍ତୁ ସମ୍ପୂର୍ଣ୍ଣ

ବ୍ୟୁରୋ ରିପୋର୍ଟ: ବାଂଲାଦେଶ ବିପକ୍ଷ ଦ୍ଵିତୀୟ ଦିନିକିଆରେ ମୀରପୁର ହୋଇଥିବା ପ୍ରଥମ ଦିନିକିଆ ଭଳି ଭାରତୀୟ ଦଳକୁ ଖାସ ଆରମ୍ଭ ମିଳି ନଥିଲା। ଭାରତୀୟ ଦଳ ୬୫ ରନରେ ନିଜର ୪ ଟି ମୂଲ୍ୟବାନ ୱିକେଟ ହରାଇ ଦେଇଥିଲା। ଅଧିନାୟକ ରୋହିତ ଶର୍ମାଙ୍କ ଇଂଜୁରୀ କାରଣରୁ ବିରାଟ କୋହଲି ଶିଖର ଧାୱନଙ୍କ ସହିତ ମିଶି ଓପନିଙ୍ଗ କରିଥିଲେ। କୋହଲି ପ୍ରାୟ ଅନେକ ଦିନ ପରେ ଦିନିକିଆରେ ଓପନିଙ୍ଗ କରିବାକୁ ଆସିଥିଲେ, କିନ୍ତୁ ୫ ରନ କରି ଆଉଟ ହୋଇ ଯାଇଥିଲେ।

ଶିଖର ଧାୱନ ପୁଣି ଥରେ ଜଲ୍ଦି ଆଉଟ ହୋଇ ଯାଇଥିଲେ ଏବଂ ପୂର୍ବ ମ୍ୟାଚରେ ଅର୍ଦ୍ଧ ଶତକ ଲଗାଇଥିବା କେ ଏଲ ରାହୁଲ ୧୪ ରନ କରି ଆଉଟ ହୋଇ ଯାଇଥିଲେ। ଏପରି ପରିସ୍ଥିତିରେ ଶ୍ରେୟସ ଅୟର ଦଳର ବ୍ୟାଟିଂ ବିପର୍ଯ୍ୟୟକୁ ସମ୍ଭାଳି ଥିଲେ ଏବଂ ଦଳୀୟ ସ୍କୋର ଆଗକୁ ନେଇଥିଲେ।

ଶ୍ରେୟସ ଅୟର ଟି-ଟ୍ୱେଣ୍ଟିରେ ନିଜର ସ୍ଥାନ ପକ୍କା କରି ପାରି ନଥିଲେ ମଧ୍ୟ ସେ ଦିନିକିଆରେ ଲଗାତାର ଭାବରେ ନିଜର କମାଲ ଦେଖାଇ ଚାଲିଛନ୍ତି। ସେ ଦ୍ଵିତୀୟ ଦିନିକିଆରେ ପୁଣି ଏକ ଅର୍ଦ୍ଧଶତକ ଲଗାଇଥିଲେ। ଏହା ତାଙ୍କ ପୂର୍ବ ୧୦ ଟି ପାରି ମଧ୍ୟରୁ ପଞ୍ଚମ ଅର୍ଦ୍ଧଶତକ ଥିଲା। ସେହିପରି ନିଜର ଦିନିକିଆ କ୍ୟାରିଅର ମଧ୍ୟରେ ସେ ୧୪ତମ ଅର୍ଦ୍ଧଶତକ ହାସଲ କରିଥିଲେ। ଅନ୍ୟପକ୍ଷରେ ସେ ଆଉ ଏକ ରେକର୍ଡ ନିଜ ନାମରେ କରିଛନ୍ତି। ସେ ଭାରତ ପକ୍ଷରୁ ଦ୍ରୁତ ୧୫୦୦ ରନ କରିଥିବା ବ୍ୟାଟ୍ସମ୍ୟାନ୍ ହୋଇ ଯାଇଛନ୍ତି। ସେ ୩୪ ଟି ପାରିରେ ଏହି ରେକର୍ଡ ହାସଲ କରିଛନ୍ତି।

ଅୟରଙ୍କ ପୂର୍ବରୁ ଏହି ରେକର୍ଡ କେ ଏଲ ରାହୁଲଙ୍କ ନାମରେ ଥିଲା। ସେ ୩୬ ଟି ଦିନିକିଆ ପାରିରେ ନିଜର ୧୫୦୦ ରନ ପୂରଣ କରିଥିଲେ। ଅୟର ୧୦୨ ବଲରେ ୮୨ ରନ କରି ଶତକ ଲଗାଇବା ପୂର୍ବରୁ ହିଁ ଆଉଟ ହୋଇ ଯାଇଥିଲେ। ଅୟର ପଞ୍ଚମ ୱିକେଟରେ ଅକ୍ସର ପଟେଲଙ୍କ ସହିତ ମିଶି ୧୦୭ ରନର ପାର୍ଟନର୍ସିପ ଯୋଡିଥିଲେ ଏବଂ ଦଳୀୟ ସ୍କୋର ଆଗକୁ ନେଇଥିଲେ।

ଏହା ସହିତ ଶ୍ରେୟସ ଅୟର ଚଳିତ ବର୍ଷ ଭାରତ ପକ୍ଷରୁ ସର୍ବାଧିକ ରନ କରିଥିବା ବ୍ୟାଟ୍ସମ୍ୟାନ୍ ହୋଇ ଯାଇଛନ୍ତି। ଏହା ସହିତ ସେ ଶିଖର ଧାୱନ ଏବଂ ଶୁଭମନ ଗିଲଙ୍କୁ ପଛରେ ପକାଇ ଦେଇଛନ୍ତି। ଅୟର ୧୬ ଟି ମ୍ୟାଚରେ ୭୦୦ ରୁ ଅଧିକ ରନ କରି ସାରିଲେଣି। ସେ ଏହି ମ୍ୟାଚ ପୂର୍ବ ପର୍ଯ୍ୟନ୍ତ ୨୦୨୨ ମସିହାରେ ଗୋଟିଏ ଶତକ ଏବଂ ୬ ଟି ଅର୍ଦ୍ଧ ଶତକ ଲଗାଇ ସାରିଛନ୍ତି। ଧାୱନ ଏହି ବର୍ଷ ୨୧ ଟି ମ୍ୟାଚରେ ୧୮୫ ରନ କରିଥିବା ବେଳେ ଶୁଭମନ ଗିଲ ୧୨ ଟି ମ୍ୟାଚରେ ୬୩୮ ରନ କରିଛନ୍ତି।

Leave a Reply

Your email address will not be published. Required fields are marked *