ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନମଣ୍ଡପରେ ବିଜେ କରିଛନ୍ତି ମହାପ୍ରଭୁ । ସ୍ନାନବେଦୀରେ ବିଜେ କରିବା ପରେ ନୀତିକାନ୍ତି ଆରମ୍ଭ ହୋଇଛି । ବେଦୀରେ ମହାପ୍ରଭୁଙ୍କ ଜଳଲାଗି ପରେ ନିର୍ଦ୍ଧାରିତ ସମୟରେ ଗଜପତି ମହାରାଜାଙ୍କ ପ୍ରତିନିଧି ମୁଦିରଥ ଛେରାପହଁରା କରିଛନ୍ତି । ଏହା ପରେ ମହାପ୍ରଭୁଙ୍କ ହାତୀବେଶ ଅନୁଷ୍ଠିତ ହୋଇଛି । ସ୍ନାନମଣ୍ଡପରେ ୧୦୮ ଗଡ଼ୁ ମନ୍ତ୍ରୀତ ଜଳରେ ଚତୁର୍ଦ୍ଧାବିଗ୍ରହ ସ୍ନାନ କରିଛନ୍ତି । ଏହି ସ୍ନାନ ପରେ ମହାପ୍ରଭୁଙ୍କ ଦୁର୍ଲଭ ହାତୀ(ଗଜାନନ) ବେଶ ଅନୁଷ୍ଠିତ ହୋଇଛି ।
ଦାରୁ ବିଗ୍ରହଙ୍କ ଏହି ବେଶକୁ ନେଇ ଏକ କିମ୍ବଦନନ୍ତୀ ରହିଛି । କିମ୍ବଦନ୍ତୀ ଅନୁଯାୟୀ, ଦାକ୍ଷିଣାତ୍ୟର ଗଣପତି ଭଟ୍ଟ ନାମକ ଗଣେଶ ଭକ୍ତ ସ୍ନାନପୂର୍ଣ୍ଣିମା ଦିନ ଶ୍ରୀକ୍ଷେତ୍ରକୁ ଆସିଥିଲେ । ସେ ଗଣପତିଙ୍କ ବ୍ୟତୀତ ଅନ୍ୟ କୌଣସି ଦେବତାଙ୍କୁ ଉପାସନା କରୁ ନ ଥିଲେ ।

ସେ ଗଣେଶକୁ ହିଁ ପରଂବ୍ରହ୍ମ ବୋଲି ବିଶ୍ୱାସ କରୁଥିଲେ । ଜ୍ୟେଷ୍ଠ ପୂର୍ଣ୍ଣିମାରେ ସ୍ନାନବେଦିରେ ସେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ । କିନ୍ତୁ ଗଣପତିଙ୍କୁ ନ ପାଇ ଅଭିମାନରେ ଫେରି ଯାଉଥିଲେ । ଭକ୍ତର ମନକଥା ଜାଣି ମୁଦିରସ୍ତଙ୍କୁ ମହାପ୍ରଭୁ ସ୍ବପ୍ନାଦେଶ କଲେ ।
ଅଧା ରାସ୍ତାରୁ ଭଟ୍ଟଙ୍କୁ ଫେରାଇ ଆଣବା ସହିତ ପୁନଃଦର୍ଶନ ନିମନ୍ତେ ମୁଦିରସ୍ତଙ୍କୁ ସ୍ବପ୍ନରେ କହିଲେ । ଗଣପତି ଫେରିଆସି ସ୍ନାନବେଦିରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ । ଦର୍ଶନ ବେଳେ ମହାପ୍ରଭୁ ଗଣେଶ ରୂପରେ ପ୍ରତୀୟମାନ ହୋଇଥିଲେ । ସେହି ସ୍ମାରକୀ ସ୍ବରୂପ ପ୍ରତି ବର୍ଷ ସ୍ନାନଯାତ୍ରାରେ ସ୍ନାନବେଦିରେ ମହାପ୍ରଭୁ ହାତୀବେଶ ତଥା ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ବୋଲି ଗବେଷକ ଡ. ନରେଶ ଚନ୍ଦ୍ର ଦାଶ କହିଛନ୍ତି । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ, ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।