ଓଡ଼ିଶାରେ ଲକଡାଉନ୍ ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ବଢ଼ିଲା, ଜୁନ୍ ୧୭ ଯାଏଁ ସବୁ ସ୍କୁଲ୍ କଲେଜ ବନ୍ଦ ରହିବ
ଏପ୍ରିଲ ୩୦ ପର୍ଯ୍ୟନ୍ତ ଟ୍ରେନ୍ ଓ ବିମାନ ସେବା ବନ୍ଦ କରିବା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ।
ଓଡ଼ିଶାରେ କରୋନା ଭାଇରସର ଦୃଢ଼ ମୁକାବିଲା କରିବା ପାଇଁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଜାରି ଥିବା ଲକଡାଉନକୁ ଏପ୍ରିଲ୍ ୩୦ ତାରିଖ ଯାଏଁ ବଢ଼େଇଛନ୍ତି । ରାଜ୍ୟର ସବୁ ସ୍କୁଲ୍ ଓ କଲେଜ ଜୁନ୍ ୧୭ ତାରିଖ ଯାଏଁ ବନ୍ଦ ରହିବ ।

ଏହି ନିଷ୍ପତ୍ତି ମୁଖ୍ୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭିଡିଓ କନ୍ଫେରେନ୍ସିଂ ଜରିଆରେ ବସିଥିବା ଏକ କ୍ୟାବିନେଟ୍ ବୈଠକରେ ନିଆଯାଇଛି ବୋଲି ସେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ।
କରୋନା ଭାଇରସକୁ ଗତ ଏକ ଶତାବ୍ଦୀ ମଧ୍ୟରେ ମାନବ ସଭ୍ୟତା ପାଇଁ ଆସିଥିବା ସବୁ ଠାରୁ ବଡ଼ ଶତୃ ବୋଲି ଦର୍ଶାଇ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଲକଡାଉନକୁ ସମର୍ଥନ କରୁଥିବାରୁ ଧନ୍ୟବାଦ ଜଣାଇଛନ୍ତି ।
ଓଡିଶା ଦେଶ ର ପ୍ରଥମ ରାଜ୍ୟ ଯିଏ ପ୍ରଥମେ ଲକଡାଉନ କୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ବଢେଇଛି । ଓଡ଼ିଶାରେ ଲକଡାଉନର ଅବଧି ବଢ଼ିବାକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି ।
ରାଜ୍ୟ କ୍ୟାବିନେଟ ବୈଠକରେ ନଅଟି ପ୍ରସ୍ତାବ ଉପରେ ମୋହର ବାଜିଥିଲା । ଏପ୍ରିଲ ୩୦ ପର୍ଯ୍ୟନ୍ତ ଟ୍ରେନ୍ ଓ ବିମାନ ସେବା ବନ୍ଦ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ରାଜ୍ୟ ପକ୍ଷରୁ ଅନୁରୋଧ କରାଯିବ ବୋଲି ଏଥିରେ ନିଷ୍ପତ୍ତି ନିଆଯାଇଥିଲା ।
ଓଡ଼ିଶାରେ ଲକଡାଉନ୍ ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ବଢ଼ିଲା
କେନ୍ଦ୍ର ସରକାର ଦାଶବ୍ୟାପୀ ଜାରିଥିବା ଲକଡାଉନକୁ ଏପ୍ରିଲ୍ ୧୪ ତାରିଖ ପରେ ଆଗକୁ ବଢ଼େଇବା ପାଇଁ ନିଷ୍ୱତ୍ତି ନେବାକୁ ଯାଉଛନ୍ତି ବୋଲି ମଧ୍ୟ ସଙ୍କେତ ମିଳିଛି । ଏହି ନିଷ୍ପତ୍ତି ଆଗାମୀ ୧୧ ତାରିଖ ଦିନ ପ୍ରଧାନ ମନ୍ତ୍ରୀ ସବୁ ରାଜ୍ୟର ମୁଖ୍ୟ ମନ୍ତ୍ରୀମାନଙ୍କ ସହ କରିବାକୁ ଥିବା ଭିଡିଓ କନ୍ଫେରେନ୍ସିଂ ବୈଠକ ପରେ ଘୋଷିତ ହୋଇ ପାରେ ବୋଲି ଜଣାପଡିଛି ।
ତେବେ କରୋନା ଭାଇରସକୁ ରୋକିବା ପାଇଁ ଆଗୁଆ ଅନେକ ପଦକ୍ଷେପ ନେଇଥିବା ଓଡ଼ିଶା ସରକାର ଲକଡାଉନର ଅବଧିକୁ ଆଗୁଆ ବଢ଼େଇ ଦେଶର ଅନ୍ୟ ରାଜ୍ୟମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି ।
ଓଡ଼ିଶା ରାଜ୍ୟ ବ୍ୟବସାୟୀ ମହାସଙ୍ଘର ସଭାପତି ସୁଧାକର ପଣ୍ଡା କହିଛନ୍ତି ଯେ ରାଜ୍ୟରେ ଅତ୍ୟାବଶ୍ୟକ ମାସଗ୍ରୀ ଯଥେଷ୍ଟ ପରିମାଣରେ ମହଜୁଦ ଅଛି । ରାଜ୍ୟରେ କୌଣସି ସ୍ଥାନରେ ଏ ପର୍ଯ୍ୟନ୍ତ କଳାବଜାରୀ ଆରମ୍ଭ ହୋଇନାହିଁ ଓ ଏଥି ପ୍ରତି ମହାସଙ୍ଘର ନଜର ରହିଛି ବୋଲି ସେ କହିଛନ୍ତି ।
ମହାରାଷ୍ଟ୍ର ମୁଖ୍ୟ ମନ୍ତ୍ରୀ ଉଦ୍ଧବ ଠାକରେ ଓ ତେଲେଙ୍ଗାନାର ମୁଖ୍ୟ ମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ମଧ୍ୟ ନିଜ ନିଜ ରାଜ୍ୟରେ ଲକଡାଉନର ଅବଧି ବଢ଼େଇବା ପାଇଁ ନିଷ୍ପତ୍ତି ନେଇସାରିଥିବାର ସୂଚନା ମିଳିଛି । ରାଓ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏ ନେଇ ଅନୁରୋଧ ବି କରିଛନ୍ତି ।