ଦେଶରେ ସାଇବର ଠକେଇ ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଯଦିଓ ସିମ୍ କିଣିବା କ୍ଷେତ୍ରରେ ଏବେ ବ୍ୟାପକ କଟକଣା କରାଯାଇଛି କିନ୍ତୁ ସାଇବର ଠକମାନେ ବିଭିନ୍ନ ଫଣ୍ଡା ଆପଣାଇ ମୋବାଇଲ ୟୁଜରମାନଙ୍କୁ ଠକୁଛନ୍ତି । ଆପଣମାନେ ଜାଣିଥିବେ IMEI (International Mobile Equipment Identity) ନମ୍ବର ଗୋଟିଏ ଫୋନର ପରିଚୟ ପତ୍ର ସଦୃଶ । ଏହି 15 ନମ୍ବର ବିଶିଷ୍ଟ ସଂଖ୍ୟାଟି ପ୍ରତି ଫୋନ ପାଇଁ ସ୍ୱତନ୍ତ୍ର । କିନ୍ତୁ ଏବେ ମିଳିଥିବା ଏକ ଖବରରୁ ଏହା ସ୍ପଷ୍ଟ ହୋଇଛି ସାଇବର କ୍ରାଇମ ପାଇଁ ଗୋଟିଏ IMEI ନମ୍ବରରେ ଅନେକ ମୋବାଇଲ ଫୋନ ଚାଲୁଛି ।

ଦେଶରେ ପ୍ରାୟ 13,500 ମୋବାଇଲ୍ ଫୋନ୍ ସମାନ IMEI ରେ ଚାଲୁଛି ବୋଲି ମେରଟ ପୋଲିସ ଦାବି କରିଛି । ତେବେ ଏହାର ପ୍ରମାଣ ମିଳିବା ପରେ ମୋବାଇଲ୍ ଫୋନ୍ ଉତ୍ପାଦନକାରୀ କମ୍ପାନୀ ଏବଂ ଏହାର ସେବା କେନ୍ଦ୍ର ବିରୋଧରେ ଠକେଇ ମାମଲା ରୁଜୁ କରିଛି ପୋଲିସ ।
ମେରଟ ଏସପି (ସହର) ଅଖିଳେଶ ଏନ ସିଂ କହିଛନ୍ତି ଯେ ପୋଲିସ୍ କର୍ମଚାରୀମାନେ ମୋବାଇଲ୍ ଫୋନ୍ ପରୀକ୍ଷା ପାଇଁ ସାଇବର କ୍ରାଇମ୍ ସେଲରେ ଥିବା କର୍ମଚାରୀଙ୍କୁ ଦେବା ପରେ ଏହି ମାମଲା ସାମ୍ନାକୁ ଆସିଥିଲା।
ସାଇବର ସେଲରୁ ଜଣାପଡିଛି ଯେ ପ୍ରାୟ 13,500 ଅନ୍ୟ ମୋବାଇଲ୍ ଫୋନ୍ ମଧ୍ୟ ସମାନ ମୋବାଇଲ୍ ଉପକରଣ ପରିଚୟ (IMEI)ରେ ଚାଲୁଛି । ତେବେ ଏହି ମାମଲା ଏକ ଗୁରୁତର ସୁରକ୍ଷା ପ୍ରସଙ୍ଗ ବୋଲି ଏସପି ଅଖିଳେଶ ଏନ ସିଂ କହିଛନ୍ତି ।

ମୋବାଇଲ୍ ଫୋନ୍ କମ୍ପାନୀର ଏହା ଅବହେଳା ପରି ଦେଖାଯାଉଛି ଏବଂ ଅପରାଧୀମାନେ ଏହାକୁ ସେମାନଙ୍କ ସୁବିଧା ପାଇଁ ବ୍ୟବହାର କରିପାରିବେ । ମେଡିକାଲ ପୋଲିସ ଷ୍ଟେସନରେ ଏନେଇ ଏକ ମାମଲା ରୁଜୁ ହୋଇଛି ଏବଂ ଏହି ଘଟଣାର ତଦନ୍ତ ପାଇଁ ଏକ ବିଶେଷଜ୍ଞ ଦଳ କାର୍ଯ୍ୟ କରୁଛନ୍ତି ବୋଲି କହିଛନ୍ତି ଅଖିଳେଶ ଏନ ସିଂ । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ, ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।