ମୋ ନିଜ ଭୁଲ ପାଇଁ – ମୁଁ ଦୋଷୀ !
ହରିପ୍ରସାଦ ବାବୁ କଲିକତାର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଭାବରେ ଜଣାଶୁଣା । ସେ ନିଜକୁ ଅଧିକ ଚାଲାକ,ଚତୁର,ସାହସୀ ଓ ବୁଦ୍ଧିମାନ ମଣିଷ ବୋଲି ଭାବନ୍ତି ତେଣୁ ସେ କାହାକୁ ଡରନ୍ତି ନାହିଁ କି ମାନନ୍ତି ନାହିଁ । ଗାଁ’କୁ ଆସିଲେ ନିଜର ବଡପଣ ଦେଖେଇ ହୁଅନ୍ତି । ଗାଁ’ରେ ଥିବା ଗରିବ ଲୋକମାନଙ୍କ ସହ ସେ ମିଶନ୍ତି ନାହିଁ ସେମାନଙ୍କ ଠାରୁ ଦୂରେଇ ରୁହନ୍ତି ।
ହରିପ୍ରସାଦଙ୍କ ପରିବାର କହିଲେ ସ୍ତ୍ରୀ ଓ ଏକ ମାତ୍ର ପୁଅ ଜୟନ୍ତ । ଗାଁରେ ତାଙ୍କର ଅଚଳା ଚଳ ସମ୍ପତି ରହିଛି ତେଣୁ ସେ ସବୁବେଳେ ହସଖୁସିରେ ରୁହନ୍ତି । ଯେତେବେଳେ ଯାହା ଇଚ୍ଛା ହୁଏ ସେମାନେ ସେଇୟା କରନ୍ତି । କାହାକୁ ଖାତିରି କରନ୍ତି ନାହିଁ ? କିନ୍ତୁ ହରିପ୍ରସାଦଙ୍କ କଲିକତାରେ ବ୍ୟବସାୟ ଯୋଗୁଁ ସେ ସେଠାରେ ରୁହନ୍ତି । ବେଳେବେଳେ ଗାଁ’କୁ ବୁଲିବାକୁ ଆସନ୍ତି ।
କିନ୍ତୁ ଯେତେବେଳେ କରୋନା ଭୂତାଣୁ ମହାମାରୀ ରୂପରେ ସାରା ବିଶ୍ୱକୁ ଗ୍ରାସ କରିସାରିଥିଲା ସେତେବେଳେ ଆମ ଦେଶରେ କରୋନାକୁ ରୋକିବା ପାଇଁ ସରକାର ଲକଡାଉନ ଘୋଷଣା କରିଦେଲେ । ଗାଡି ମଟର, ଟ୍ରେନ, ଉଡାଜାହାଜ, ଦୋକାନ ବଜାର ସବୁ ବନ୍ଦ ହୋଇଗଲା ଯାହା ଦ୍ୱାରା ଯିଏ ଯଉଠି ଥିଲେ ସେଇଠି ରହିଗଲେ ଆଉ ଘରକୁ ଫେରିପାରିଲେ ନାହିଁ । ସରକାର ସମସ୍ତଙ୍କୁ ସୁବିଧା ସୁଯୋଗ ଯୋଗାଇଦେଲେ ଓ ସଚେତନ କରାଇଲେ ସମସ୍ତଙ୍କୁ କିନ୍ତୁ କିଛି ଅମାନିଆ ଲୋକ ନ ମାନି ଗାଁ’କୁ ଲୁଚି ଲୁଚି ପଳେଇ ଆସିଲେ ।
ସେହି ଅମାନିଆ ଲୋକମାନଙ୍କ ଭିତରେ ହରିପ୍ରସାଦ ବାବୁ ବି ରହିଥାନ୍ତି । ସେ କାହାକୁ କିଛି ନ ଜଣେଇ କଲିକତାରୁ ଏକ ଗାଡିରେ ଲୁଚି ଲୁଚି ଗାଁ’କୁ ପଳେଇ ଆସିଲେ ଏବଂ ଗାଁରେ ମୁକ୍ତ ଭାବରେ ବୁଲାବୁଲି କଲେ । ଏହି ବୁଲାବୁଲି ଭିତରେ ନିଜ ଅଜାଣତରେ ଦେହ ଭିତରେ ବଢି ଚାଲିଥିବା କରୋନା ଭୂତାଣୁକୁ ଜାଣିପାରିନଥିଲେ । ଯାହା ଦୂାରା ତାଙ୍କ ସଂଷ୍ପର୍ଶରେ ଆସିଥିବା ତାଙ୍କ ସ୍ତ୍ରୀ ଓ କୋଡିଏ ବର୍ଷର ଏକ ମାତ୍ର ପୁଅ ଜୟନ୍ତକୁ ମଧ୍ୟ କରୋନା ଭୂତାଣୁ ନିଜ କବଳରେ ଆୟତ୍ତ କରିସାରିଥିଲା । ଯେତେବେଳେ ଜାଣିଲେ କି ସେମାନେ ସମସ୍ତେ କରୋନା ଭୂତାଣୁରେ ଆକ୍ରାନ୍ତ ହୋଈଛନ୍ତି ସେତେବେଳେ ହରିପ୍ରସାଦଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । ସେ ଭାବି ପାରୁନଥିଲେ ତାଙ୍କର ଗୋଟେ ଛୋଟ ଭୁଲ ପାଇଁ ସମସ୍ତଙ୍କ ଜୀବନ ଆଜି ବିପଦରେ ପଡିଯାଇଛି ।
ଧନ କୁ ନେଇ ଗର୍ବ କରନ୍ତୁ ନାହିଁ, ତା’କୁ ସଠିକ ବ୍ୟବହାର କରନ୍ତୁ ।
ଶେଷରେ ନିଜର ଭୁଲ ପାଇଁ ନିଜର ଏକ ମାତ୍ର ପୁଅ ଜୟନ୍ତକୁ ହରାଇବାକୁ ପଡିଥିଲା । ସେ ନିଜକୁ କ୍ଷମା କରିପାରୁନଥିଲେ କାରଣ ତାଙ୍କର ଏତେ ଧନ ସମ୍ପତି ଥାଇ ମଧ୍ୟ ନିଜ ପୁଅକୁ ବଞ୍ଚାଇ ପାରିଲେ ନାହିଁ । ତା’ପରେ ତାଙ୍କ ପୁଅର ମୃତ୍ୟୁ ପରେ ମଧ୍ୟ ଗାଁ ଲୋକ ବି କେହି ଶବ ଉଠାଇବା ପାଇଁ ତାଙ୍କ ଘରକୁ ଆସିଲେ ନାହିଁ କରୋନା ରୋଗ ସେମାନଙ୍କୁ ହେଇଯିବା ଭୟରେ । ଶେଷରେ ବହୁ କଷ୍ଟରେ ନିଜେ ପୁଅର ଶବସତ୍କାର କଲେ । ପାଖରେ ବି ତାଙ୍କ ସ୍ତ୍ରୀ ନଥାନ୍ତି ସେ ବି କରୋନା ରୋଗରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥାନ୍ତି । ପୁଅର ଶବସତ୍କାର ସାରି ଘରକୁ ଫେରିଲା ପରେ ସାନ୍ତ୍ୱନା ଦେବା ପାଇଁ ମଧ୍ୟ ଭାଇ ବନ୍ଧୁ ସାହି ପଡିଶା କେହି ବି ଆସିଲେ ନାହିଁ । କାରଣ ସେମାନେ ଜାଣି ସାରିଥିଲେ କି ଯଦି ସେମାନେ ଆସି ହରିପ୍ରସାଦଙ୍କ ସହ ମିଶୁଛନ୍ତି ତାହେଲେ ତାଙ୍କ ଜୀବନ ପ୍ରତି ବିପଦ ରହିଛି ତେଣୁ ସେମାନେ ଏହି ସମୟରେ କରୋନା ଭୟରେ ଆସିଲେ ନାହିଁ ।
ଘରେ ହରିପ୍ରସାଦ ବାବୁ ଏକା ବସି ବସି କାନ୍ଦୁଥାନ୍ତି ଆଉ ପାଗଳଙ୍କ ଭଳି ନିଜେ ନିଜେ କହି ହେଉଥାନ୍ତି ନିଜ ଭୁଲ ପାଇଁ ଆଜି ତାଙ୍କର ଗୋଟିଏ ବୋଲି ପୁଅ ଛାଡି ଚାଲିଗଲା ତାଙ୍କଠାରୁ । ଯେଉଁ ପୁଅ ମୁଁ ମଲା ପରେ ମୋ ମୁହଁରେ ନିଆଁ ଦେଇଥାନ୍ତା ଆଜି ମୁଁ ତା ବାପା ହେଇ ତା ମୁହଁରେ ନିଆଁ ଦେଉଛି । ଧିକ୍ ମୋ ଜୀବନକୁ । ଧିକ୍ ମୋ ବାପ ପଣିଆକୁ । ମୁଁ ବାପା ହେଇ ପୁଅର ଜୀବନ ନେଇଗଲି । ଆଜି ମୋରି ପାଇଁ ମୋ ସ୍ତ୍ରୀ ଆଉ ପୁଅ ବିପଦରେ ପଡିଗଲେ । ସବୁଥାଇ ମୋ ପାଖରେ ଆଜି କିଛି ନାହିଁ ଓ ପାଖରେ କେହି ନାହାନ୍ତି ।ନିସ୍ୱ ପାଲଟି ଯାଇଛି ।

ଧନ ସବୁ କିଛି ନୁହେଁ !
ଯେଉଁ ଧନ ସମ୍ପତିକୁ ନେଇ ମୁଁ ଗର୍ବ କରୁଥିଲି ନିଜର ବଡପଣ ଦେଖଉଥିଲି ଆଜି ସେହି ଧନ ସମ୍ପତିକୁ ଭୋଗ କରିବା ପାଇଁ ମୋ ପାଖରେ କେହି ନାହିଁ । ଯଦି ମୁଁ ସରକାରଙ୍କ ନିୟମ ମାନି କିଛି ଦିନ ସେହି କଲିକତାରେ ରହିଥାନ୍ତି ଘରକୁ ଆସି ନଥାନ୍ତି କିମ୍ବା ଘରକୁ ଆସି ମୁଁ ସଙ୍ଗରୋଧରେ ରହିଥାନ୍ତି କାହା ସହ ମିଶି ନଥାନ୍ତି, ସରକାରଙ୍କ ନିୟମ ମାନି ନିଜ ନାଁ’କୁ ପଞ୍ଜିକୃତ କରିଥାନ୍ତି, ବାରମ୍ବାର ସାବୁନରେ ହାତକୁ ଧୋଇଥାନ୍ତି ଅତିକମରେ କୋଡିଏ ସେକେଣ୍ଡ ଯାଏ, ମୁଁହରେ ରୁମାଲ କିମ୍ବା ମାସ୍କ ପିନ୍ଧିଥାନ୍ତି, ଜରୁରୀ କାମରେ ବାହାରକୁ ଗଲାବେଳେ ସାମାଜିକ ଦୂରତା ରକ୍ଷା କରିଥାନ୍ତି, କାଶ,ଛିଙ୍କ,ଜ୍ୱର ହେଇଥିଲା ବେଳେ ଯଦି ଡାକ୍ତରଖାନା ଯାଇ ପରୀକ୍ଷା କରିଥାନ୍ତି ତାହେଲେ ଆଜି ଏମିତି ଅବସ୍ଥା ହେଇ ନଥାନ୍ତା । ସବୁଦିନ ପରି ମଧ୍ୟ ଆଜି ହସ ଖୁସିରେ ରହିଥାନ୍ତି । ଆଜି ଏମିତି ଏକ ମହାମାରୀ ରୋଗରେ ଆକ୍ରାନ୍ତ ହେଲି ଯେ ନିଜ ଲୋକ ବି ପର ପାଲଟି ଯାଉଛନ୍ତି । ପାଖକୁ ବି ଆସୁ ନାହାନ୍ତି ଭୟରେ । ନିଜର ଭୁଲ ପାଇଁ ନିଜକୁ ଦୋଷ ଦେଉଥାନ୍ତି । ଏହି କଥା କହି କହି କାନ୍ଦୁଥାନ୍ତି ହରପ୍ରସାଦ ବାବୁ ସେହି ଘର ବାରଣ୍ଡାରେ ବସି ।
କିଛି ଦିନ ପରେ ହରିପ୍ରସାଦ ବାବୁ ଆଉ ତାଙ୍କ ସ୍ତ୍ରୀ ଡାକ୍ତରଖାନାରୁ ସୁସ୍ଥ ହୋଇ ଫେରିଲା ପରେ ନିଜର ଭୁଲ ଆଉ ଦୋଷକୁ ବୁଝିପାରି ଦୁଇଜଣ ନିଜର ଧନ ସମ୍ପତି ଓ ନିଜର ବଡପଣକୁ ପଛରେ ପକେଇ ସମସ୍ତଙ୍କ ସହ ମିଳିମିଶି ରହିବାକୁ ଲାଗିଲେ । କରୋନା ଭୂତାଣୁ ରୋଗ ବିଷୟରେ ଗାଁ ଗାଁରେ ସମସ୍ତ ଲୋକଙ୍କୁ ସଚେତନ କରିବା ସହ ମାସ୍କ ପିନ୍ଧିବାକୁ ଦେଲେ । ଅସହାୟ ନିରାଶ୍ରୟଙ୍କୁ ରନ୍ଧା ଖାଦ୍ୟ ଖାଇବାକୁ ଦେଲେ । ଲୋକ ମାନଙ୍କୁ ସାହାଯ୍ୟ କରିବାକୁ ଲାଗିଲେ ଏବଂ ଶେଷରେ ବୁଝି ପାରିଲେ ଯେ କୌଣସି ରୋଗ ହେଲେ ଯଦି ନିଜେ ସଚେତନ ନ ହେବା ତାହେଲେ ଏ ଧନ ସମ୍ପତି,ବୁଦ୍ଧି,ବଳ ରଖି କିଛି ଲାଭ ନାହିଁ । ଏ ସବୁ ଆମ ଜୀବନକୁ ମରଣ ମୁହଁରୁ ବଞ୍ଚାଇ ପାରିବ ନାହିଁ ।
କାହାଣୀ କେମିତି ଲାଗୁଛି ତଳେ କାମେଣ୍ଟରେ ଜଣେଇବାକୁ ଅନୁରୋଧ ।
ପାଗଳ ସତ୍ୟ
ସତ୍ୟବାନ ନାୟକ
କୋଡଗମ୍ଭୀର,ଚଣ୍ଡିଗାଁ,ଚରମ୍ପା,ଭଦ୍ରକ
ଇ-ମେଲ: satyabannayak1995@gmail.com