ସେଇ ଦୁଇ ପଦ କଥା ( ଜଣେ ଚାଷୀ ବାପାର କାହାଣୀ ) !
ମୁଁ ଦିଲ୍ଲୀର ଏକ ବଡ କମ୍ପାନିର ଅଫିସରେ ନୂଆ କରି ଚାକିରିରେ ଯୋଗଦେଇଥାଏ, ତେଣୁ ସେଦିନ କୌଣସି ଏକ କାର୍ଯ୍ୟରେ ଅଫିସରେ ଦିନ ସାରା ବ୍ୟସ୍ତ ରହିଥିଲି । ସଂଧ୍ୟାରେ ଅଫିସରୁ ରୁମ୍ କୁ ଫେରି ମୋବାଇଲ ଦେଖେ ତ ବାପାଙ୍କର ପଚାଶରୁ ଅଧିକ ମିସକଲ ଆସିଛି । ଅଫିସରେ କାର୍ଯ୍ୟ ବ୍ୟସ୍ତ ଯୋଗୁଁ ମୁଁ ଫୋନକୁ ସାଇଲେଣ୍ଟ ମୋଡରେ ରଖିଥିଲି ତେଣୁ ବାପା ସେଦିନ ବାରମ୍ବାର ଫୋନ କରିବା ସତ୍ତ୍ୱେ ମଧ୍ୟ ମୁଁ ଦେଖିପାରିନଥିଲି କି ଉଠାଇ ପାରିନଥିଲି ।
ବାପାଙ୍କର ଏତେ ଫୋନ କଲ ଦେଖି ମୁଁ ବହୁତ ବ୍ୟସ୍ତ ବିବ୍ରତ ହେଇପଡିଲି । କାହିଁକି’ନା ବାପା କେବେ ବି ଏତେ କଲ କରନ୍ତି ନାହିଁ । ମନରେ ବହୁତ ପ୍ରକାର ଚିନ୍ତା ଆସୁଥାଏ ଭାରି ଅସ୍ତବ୍ୟସ୍ତ ବି ଲାଗୁଥାଏ। ମୁଁ ଆଉ କିଛି ନ ଭାବି ସଙ୍ଗେ ସଙ୍ଗେ ବାପାଙ୍କ ପାଖକୁ କଲ୍ କଲି ।

ଏକ ଅଭୁଲା କାହାଣୀ:
ବାପା ଫୋନ ଉଠାଇ ଗୋଟେ ନିଶ୍ୱାସରେ ପଚାରିଗଲେ ଧନରେ କେମିତି ଅଛୁ ? ଭଲରେ ଅଛୁନା ! ଦେହ ଭଲ ଅଛିନା ! ତୋର କ’ଣ ହେଇଥିଲା ? ଫୋନ କ’ଣ ପାଇଁ ଉଠାଉନଥିଲୁ ? ବାପାଙ୍କର ଏତେ ସବୁ ପ୍ରଶ୍ନ ଏକା ଥରକେ ଶୁଣି ମୋ ମନରେ ଆଶଙ୍କା ଆସିଲା ବାପାଙ୍କର କ’ଣ ଗୋଟେ ହେଇଛି ନହେଲେ ବାପା କାହିଁକି ଏତେ ବ୍ୟସ୍ତ ବିବ୍ରତ ହୋଇପଡୁଛନ୍ତି । ବାପା ଏତେ ବିବ୍ରତ କିମ୍ବା ମାନସିକ ଚିନ୍ତାରେ ରହିଲା ଭଳି ମୁଁ କେବେବି କାହିଁ ଦେଖିନାହିଁ । ମୁଁ ଉତ୍ତର ଦେଲି ମୁଁ ଭଲରେ ଅଛି ମୋ ଦେହବି ବହୁତ ଭଲ ଅଛି । ଆଜି ଅଫିସରେ ଗୁଡାଏ କାମ ଥିଲା ତେଣୁ ଦିନ ସାରା କାମରେ ବ୍ୟସ୍ତ ରହିଯାଇଥିଲି ସେଥିପାଇଁ ଫୋନକୁ ଦେଖିପାରିନଥିଲି । ଏବେ ଦେଖି ଫୋନ କଲି । ତା’ପରେ ବାପାଙ୍କ ଭଲମନ୍ଦ ପଚାରିଲି ଆଉ ବୋଉର ବି ।
ସମସ୍ତଙ୍କ କଥା ପଚାରି ସାରି ଶେଷରେ ବାପାଙ୍କୁ କହିଲି ବାପା ତୁମେ କ’ଣ ପାଇଁ ଏତେ ବ୍ୟସ୍ତ ବିବ୍ରତ ହେଇ ପଡୁଛ ? ତା’ପରେ ବାପାଙ୍କର ସ୍ୱର ଟିକେ ନରମିଗଲା ଆଉ କହିଲେ ପୁଅରେ ତୁ କେମିତି ଜାଣିବୁ ଗୋଟେ ବାପାର ମନ । ମୁଁ ବାରମ୍ବାର ଫୋନ କଲାପରେ ଯେତେବେଳେ ଉତ୍ତର ନଦେଲୁ ସେତେବେଳେ ମନରେ ଏଣୁତେଣୁ ଭାବନା ଆସିଲା ତେଣୁ ବ୍ୟସ୍ତ ହେଇପଡିଥିଲି । ତୁ ଯେବେ ବାପା ହେବୁ ସେତେବେଳେ ଜାଣିବୁ ଗୋଟେ ବାପାର ମନ କ’ଣ ? ବାପାଙ୍କର ଏହି କଥା ଶୁଣି ମୋତେ ଲାଗୁଥିଲା କି ବାପାଙ୍କର ହସ ଖୁସି କୁଆଡେ ଉଭେଇ ଜାଇଛି ।
ଆଉ ଆସିବୁ କେବେ ? ମହାଶିବରାତ୍ରି ପୂଜାରେ ଆସ ଘରକୁ ଟିକେ ବୁଲା ବୁଲି କରି ଯିବୁ । ତୋ ବୋଉ କହୁଥିଲା ପୁଅଟାକୁ କାଇଁ କେତେଦିନୁ ହେଲା ଦେଖିନି ଟିକେ ତାକୁ କୁହ ଆସିବାକୁ ପୂଜାରେ । ତା ନାଁରେ ଗାଁ ଶିବ ମନ୍ଦିରରେ ପୂଜା ରଖିଛି ସେ ଆସିଲେ ପୂଜା କରିବି ।
ଆଉ ତୁ କ’ଣ କହୁଛୁ ?
ତୁ ଆସିବୁ ନା !
ହଁ ବାପା ମୁଁ ଯିବି । ପୂଜାରେ ଅଫିସ ଛୁଟି ରହିବ । ଘରକୁ ଯିବା ଆଗରୁ ମୁଁ ଜଣେଇ ଦେବି ।
ଯେତେବେଳେ ବାପାଙ୍କୁ ଘର କଥା ପଚାରିଲି ଘରେ ସବୁ ଭଲ ତ ! ମୋ କଥା ଶୁଣି ବାପା କିଛି ସମୟ ଚୁପ୍ ରହିଗଲେ ଆଉ ଧିର ସ୍ୱରରେ କହିଲେ ହଁ ଘରେ ସବୁ ଭଲ ହେଲେ !
ହେଲେ ପୁଣି କ’ଣ ବାପା ? ଘରେ କ’ଣ କିଛି ଅସୁବିଧା ହେଇଛି କି ? ବାପା କହିଲେ ନାଇଁ କିଛି ନାହିଁ । ମୁଁ ଜୋର କରି ପଚାରିବାରୁ କହିଲେ। ଆମ ଜମି ଖଣ୍ଡାକ ରାମାନନ୍ଦ ସାହୁକାର ନେଇଯିବେ । କାହିଁକି ବାପା ସେ କ’ଣ ପାଇଁ ଆମ ଜମି ନେବେ ? ଆମେ ତ ତାଙ୍କର କିଛି ଅସୁବିଧା କରି ନାହାନ୍ତି କି ତାଙ୍କ ଠାରୁ ଟଙ୍କା କରଜ ଆଣି ନାହାନ୍ତି ତା’ହେଲେ ସେ କ’ଣ ପାଇଁ ଆମ ଜମି ନେବେ ? ନାଁରେ ପୁଅ ଆମେ ତାଙ୍କର କିଛି ଅସୁବିଧା କରି ନାହାନ୍ତି କିନ୍ତୁ ପୁଅ ତୁ ଯଉ ବିଦେଶରେ ରହି ପାଠ ପଢିବା ପାଇଁ ଜିଦି ଧରି ବସିଲୁ ସେତେବେଳେ ତ ମୋ ପାଖରେ କାଣି କଉଡିଟିଏ ନଥିଲା ମୁଁ ଆଣିଥାନ୍ତି ବା କଉଠୁ ? ସେହି ଜମିରୁ ଯାହା ଅମଳ ହୁଏ ସେଥିରେ ଘର ଚଳେ ଆଉ ତୋ ପଢିବା ପାଇଁ ଟଙ୍କା ପଠାଏ ।
ସେତେବେଳେ ତୋ ବୋଉ କହିଲା ସେ ଜମି ରଖି କରିବା କ’ଣ ପୁଅ ପଢିବାକୁ ଚାହୁଁଛି ସେ ଜମିଟାକୁ ବନ୍ଧକ ରଖିଦିଅ । ସେ ପାଠ ପଢି ଚାକିରି କଲେ ଆମ ଜମିକୁ ପୁଣି ମୁକୁଳେଇ ଆଣିବନି । ସେହି ଜମି ଖଣ୍ଡାକ ବନ୍ଧକ ରଖି ସାହୁକାର ପାଖରୁ ପଚାଶ ହଜାର ଟଙ୍କା ଆଣିଥିଲି । ତତେ ନ ଜଣେଇ । ବହୁ ଦିନ ହେଲା ସାହୁକାରର ଟଙ୍କା ନ ସୁଝିବାରୁ ସାହୁକାର ଆଜି ନିଜେ ଆଉ ତାଙ୍କ ଲୋକ ନେଇ ଘରକୁ ଆସି କହିଲେ ଯଦି ଦୁଇଦିନ ଭିତରେ ତାଙ୍କ ସୁଧ ମୂଳ ସହ ସବୁ ଟଙ୍କା ନ ଶୁଝାଯାଏ ତାହେଲେ ସେ ଜମି ଖଣ୍ଡାକ ନେଇଯିବେ ।
ତାଙ୍କ ଗୋଡ ଧରି କେତେ କାକୁତି ମିନତି ହେବାରୁ ମାସଟେ ସମୟ ଦେଇ ଯାଇଛନ୍ତି ଯଦି ମାସଟେ ଭିତରେ ତାଙ୍କ ଟଙ୍କା ନ ଦିଏ ତାହା ହେଲେ ସେ ନେଇଯିବେ ଆଉ ସେ ଜମିରେ ମୁଁ ଚାଷ କରିପାରିବି ନାହିଁ । ବାପ ଗୋସାପ ଜମିଟାକୁ ସାହୁକାର ହାତକୁ ଟେକି ଦେଇ ନିସ୍ୱ ହୋଇ ଘରେ କେମିତି ବସିବି ? ଏ ବର୍ଷ ଝଡ ବର୍ଷା ବାତ୍ୟାରେ ଚାଷ ହେଇଥିବା ଧାନ ଚାଷ ସବୁ ନଷ୍ଟ ହେଇଯାଇଥିଲା ଆଉ ଯାହା ଥିଲା ଚକଡା ପୋକ ଖାଇ ନଷ୍ଟ କରିଦେଇଥିଲେ । ପାଖରେ ଟଙ୍କାଟିଏ ନାହିଁ ।
ବାପା ଙ୍କ ସ୍ନେହ ଅତି ନିଆରା !
କେମିତି ବଞ୍ଚିବି ମୁଁ ସେ ନିସ୍ୱାର୍ଥପର ମା ବିନା ? ଯିଏ ମୋର ଆଉ ତୁମମାନଙ୍କର ପେଟକୁ ଦି ଉଳି ଦିମୁଠା ଦାନା ଦେଉଥିଲା ଆଉ ଲାଜ ଢାଙ୍କିବାକୁ ଦେହକୁ ଖଣ୍ଡେ କନା ଯୋଗାଉଥିଲା । ଯିଏ ମୋର ସୁଖର ଦୁଃଖର ସାଥି ହେଉଥିଲା ନିସ୍ୱାର୍ଥପର ଭାବରେ ସେହି ମାଆକୁ ଆଜି ଆଉ କାହା ହାତରେ ଟେକିଦେଇ କେମିତି ବଞ୍ଚିବି । ଜନ୍ମ କଲା ମାଆ ସିନା ଜନ୍ମ ଦିଏ କିନ୍ତୁ ପୁଅ ଜୀବନ ଏଇ ମା ଦିଏ ! ଯାର ଛାତିକୁ ହାଣି ଆମେ ସୁନାର ଫସଲ ଫଳାଉ କିନ୍ତୁ ଆମେ ଯଦି ଚାଷ ନକରିବା ତାହେଲେ ଦୁନିଆରେ ଲୋକେ ଖାଇବେ କ’ଣ ବଞ୍ଚିବେ କେମିତି । କହିବା ସମୟରେ ବାପାଙ୍କ ଆଖିର ଲୁହକୁ ମୁଁ ଦୂରରେ ଥିଲେ ମଧ୍ୟ ମୋତେ ଅତି ସ୍ପଷ୍ଟ ଭାବରେ ଦେଖାଯାଉଥିଲା ।
ମୁଁ ଭାବିପାରୁନଥିଲି ଯେ ବାପା ଆଜି ଏତେଭାଙ୍ଗି ପଡିଛନ୍ତି କାହିଁକି । ବାପା କେବେ ଭାଙ୍ଗିପଡିବା କିମ୍ବା ଧୈଯ୍ୟ ହରା ହେବାର ମୋ ପିଲାଟି ବେଳୁ ଆଜି ପର୍ଯ୍ୟନ୍ତ ଦେଖିନାହିଁ । ବାପାଙ୍କର ସେଈ ଦୁଇ ପଦ କଥା ଆଜି ମୋ କାନରେ ବାରମ୍ବାର ଶୁଭାଯାଏ । ଯିଏ ମୋତେ ସବୁବେଳେ କହୁଥିଲେ:
“”ପୁଅରେ ତୋ ଜୀବନରେ କେବେବି ଭାଙ୍ଗିପଡିବୁ ନାହିଁ ଯେତେ ଝଡ ଝଞ୍ଜା ଦୁଃଖ କଷ୍ଟ ଆସିଲେ ମଧ୍ୟ । ଜୀବନରେ କେବେ ଧୈଯ୍ୟହରା ହେବୁନାହିଁ ଦମ୍ଭ ଓ ସାହାସର ସହ ସେ ସମୟକୁ ମୁକାବିଲା କରିବୁ ଦେଖିବୁ ତୁ ହିଁ ଜିତିବୁ ଆଉ ବିଜୟୀ ହେବୁ “”।
ବାପାଙ୍କୁ ବୁଝାଇ କହିଲି ମୁଁ ଏବେ ଚାକିରି କରିଲିଣି ବ୍ୟସ୍ତ ହୁଅ ନାହିଁ ସବୁକିଛି ଠିକ୍ ହେଇଯିବ । ଆମ ଜମି ସେ ଜମିଦାର ନେବ ନାହିଁ । ତାଙ୍କୁ ତାଙ୍କର ସବୁ ଟଙ୍କା ଦେଇ ଆମ ଜମିକୁ ମୁକୁଳେଇ ଆଣିବା । ଏବେ ସବୁ ଦଃଖ ଆମର ସରିଗଲା ବୋଲି ଜାଣ । ତୁମେ ଜମା ବ୍ୟସ୍ତ ହେବ ନାହିଁ ମୁଁ ପୂଜା ଛୁଟିରେ ଗାଁକୁ ଗଲେ ଟଙ୍କା ନେଇଯିବି । ବାପାଙ୍କୁ ବୁଝେଇ ଏହି କଥା କହି ସାରିଲା ପରେ ମୁଁ ଫୋନ ରଖିଲି ।
କିନ୍ତୁ ଆଜି ବାପାଙ୍କର ଏମିତି କଥା ଆଉ ଧୈଯ୍ୟ ହରା ଓ ଭାଙ୍ଗି ପଡିଥିବା ଦେଖି ମୋ ଆଖିରୁ ଧିରେ ଧିରେ କରି ଗରମ ଲୁହ ଗଢିବା ଆରମ୍ଭ କରିସାରିଥିଲା । କାହିଁକି’ନା ଯେଉଁ ବାପା ବୈଶାଖ ମାସର ନିଦାଘ ଖରାର ଦାଉରେ ବଞ୍ଚିବା କେତେ କଷ୍ଟକର, ସେଥିରେ ସେ ଅନ୍ନଦାତା ଦେହରେ କେତେ ଘସି ହେଇ ସୁନା ଫଳାନ୍ତି ଆଉ ଝଡ ବର୍ଷା ବିଜୁଳି ଘଡଘଡିକୁ ଖାତିରି ନକରି ସୁନାର ଫସଲକୁ ଆଗକୁ ନିଅନ୍ତି ।
ବାପା ମା ସବୁବେଳେ ଛୁଆ ମାନଙ୍କର ଖୁସି ରେ ସେ ଖୁସି ।
ସେମିତି ଶୀତ କାକରର ହାଡଭଙ୍ଗା ଜାଡରେ ଥରି ଥରି ସେହି ସୁନାର ଫସଲକୁ ଅମଳ କରି ଆଣି ବଞ୍ଚିବାର ରାହା ଦେଖାନ୍ତି ଆମକୁ ସେହି ଜମିରୁ କିନ୍ତୁ ଆଜି ମୋର ଜିଦି ପାଇଁ ମୋର ପଢା ପାଇଁ ସର୍ବସ୍ବ ହରାଇ ଦେଇଛନ୍ତି ବାପା । ମୋ ଜିଦି ମୋ ଖୁସି ପାଇଁ ବାପା ନିଜର ବାପ ଗୋସାପ ଜମିଟାକୁ ବି ଶେଷରେ ବନ୍ଧକ ରଖିଦେଲେ । ପିଲାଟି ବେଳୁ ଦେଖି ଆସିଛି ସେ କଷ୍ଟରେ ରହିଲେ ମଧ୍ୟ ମୋତେ ଟିକେ ବୋଲି କଷ୍ଟ କ’ଣ ଜଣେଇ ନାହାନ୍ତି କିନ୍ତୁ ଆଜି ମୋରି ପାଇଁ ବହୁତ କଷ୍ଟ ସହୁଛନ୍ତି କିନ୍ତୁ ମୁଁ କିଛି କରି ପାରୁ ନଥାଏ ଏହି ସମୟରେ ।
ଶେଷରେ ପୂଜା ଛୁଟିରେ ଘରକୁ ଯାଇ ସେ ଜମିଦାରକୁ ସବୁ ଟଙ୍କାଦେଇ ଆମ ଜମିକୁ ମୁକୁଳେଇ ଆଣିଥିଲି ଆଉ ସେଦିନ ବାପା ଏତେ ଖୁସି ହେଇଯାଇଥିଲେ ଯେ ଆଗରୁ କେବେ ମୁଁ ବାପାଙ୍କୁ ଏତେ ଖୁସି ହେବାର ଦେଖିନଥିଲି । ସତରେ ମାଟି ମାଆର ଦେହରେ ଯାଦୁ ଅଛି ସେଥି ପାଇଁ ତ ସେ ଆମ ଜନ୍ମରୁ ମରଣ ଯାଏ ଆମ ସାଥୀରେ ସବୁବେଳେ ରହିଥାଏ । ଆମେ ଚାହିଁଲେ ବି ମଧ୍ୟ ତା’ର ଋଣକୁ ସୁଝି ପାରିବା ନାହିଁ ।
କାହାଣୀ କେମିତି ଲାଗୁଛି ତଳେ କାମେଣ୍ଟରେ ଜଣେଇବାକୁ ଅନୁରୋଧ ।
ପାଗଳ ସତ୍ୟ
ସତ୍ୟବାନ ନାୟକ
କୋଡଗମ୍ଭୀର,ଚଣ୍ଡିଗାଁ,ଚରମ୍ପା,ଭଦ୍ରକ
ଇ-ମେଲ: satyabannayak1995@gmail.com