କରୋନା ମହାମାରୀ ମଧ୍ୟରେ ପିତାମାତାଙ୍କ ଯତ୍ନ ସହିତ ଶୈଶବ ବିକାଶକୁ ଅଧିକ ଗୁରୁତ୍ବ ଦେବାକୁ ୟୁନିସେଫ୍ ଆହ୍ବାନ କରିଛି । ଶିଶୁ ମୃତ୍ୟୁହାର କମାଇବା, ସେମାନଙ୍କ ବିରୁଦ୍ଧରେ ହିଂସାକୁ ରୋକିବା ଓ ଦୀର୍ଘମିଆଦି ଭିତ୍ତିରେ ଆର୍ଥିକ ସୁଧାର ଓ ଉତ୍ପାଦକତା ବଢାଇବା ପାଇଁ ଏହା ଜରୁରୀ ଶିଶୁମାନଙ୍କ ସଂପର୍କରେ ୟୁନିସେଫ ପକ୍ଷରୁ ଏକ ଅଧୟନ ରିପୋର୍ଟ ଜାରି କରାଯାଇଛି । ଏଥିରେ କୁହାଯାଇଛି ଯେ ଶିଶୁମାନଙ୍କ ପାଇଁ ଏକ ସୁରକ୍ଷିତ ଓ ମମତାଭରା ପରିବେଶ ସୃଷ୍ଟି ଦିଗରେ ଅଭିଭାବକ, ସମାଜ ଓ ସରକାର ନିଜର ଗୁରୁଦାୟିତ୍ବକୁ ବୁଝିବା ଜରୁରୀ ।
କିନ୍ତୁ ଆଜିର ଏହି ସଙ୍କଟ ସମୟରେ ଛୋଟ ପିଲାମାନଙ୍କ ପାଇଁ ସହାୟତାମୂଳକ ସେବା ଉପରେ ବିଶେଷ ଗୁରୁତ୍ବ ଦିଆଯାଉ ନାହିଁ । ଫଳରେ ଛୋଟ ପିଲାମାନେ ବିଶେଷଭାବେ ପ୍ରଭାବିତ ହେଉଛନ୍ତି। ଶିଶୁମାନଙ୍କ ଶୃଙ୍ଖଳିତ କରିବା ବାହାନାରେ ସେମାନଙ୍କୁ ପ୍ରାୟ ୩୦ ପ୍ରକାରର ଶାରିରୀକ ଓ ବାଚନିକ ନିର୍ଯାତନା ଦିଆଯାଏ ।

ଏହି ଅଧ୍ୟୟନରେ ପିଲାମାନଙ୍କ ଉପରେ ଘରେ କରାଯାଉଥିବା ବିଭିନ୍ନ ପ୍ରକାରର ହିଂସା ସଂପର୍କରେ ଆଲୋକପାତ କରାଯାଇଛି । ଏହି ଅବସରରେ ଭାରତରେ ଅବସ୍ଥାପିତ ୟୁନିସେଫ ପ୍ରତିନିଧି ଡ.ଯଶମିନ ଅଲି ହକ କହିଛନ୍ତି ଯେ ଇବୋଲା ସମୟରେ ଆମର ଅଭିଜ୍ଞତା କହୁଛି ଯେ ସଂକଟ ସମୟରେ ପରିବାରଗୁଡ଼ିକ ଶିଶୁମାନଙ୍କ ଉପରେ ଅଧିକ ହିଂସା, ନିର୍ଯାତନା ଦିଅନ୍ତି ବା ଅବହେଳା କରନ୍ତି; କିନ୍ତୁ ଏହାର କୁପ୍ରଭାବ ଶିଶୁମାନଙ୍କ ଉପରେ ସାରା ଜୀବନ ପଡ଼ିଥାଏ ।
ଶିଶୁଙ୍କର ଅଧିକ ଯତ୍ନ ନିଅନ୍ତୁ: ୟୁନିସେଫ୍
ଏପ୍ରିଲରେ ଦୁଇ ସପ୍ତାହର ଲକଡାଉନ ସମୟରେ ପିଲାମାନଙ୍କ ସଂପର୍କିତ ସହାୟତା ଫୋନ୍ କଲ ୫୦ ପ୍ରତିଶତ ବଢିଛି । ସ୍କୁଲ ବନ୍ଦ ହେବା ଦ୍ବାରା ପିଲାମାନଙ୍କ ଶିକ୍ଷା ଓ ଲାଳନପାଳନ ଲାଗି ପିତାମାତାଙ୍କ ଉପରେ ଚାପ ବଢିଯାଇଛି । ଏହା ଦ୍ବାରା ପିଲାମାନଙ୍କ ଉପରେ ହିଂସା ଆଶଙ୍କା ବଢିଛି । ଗବେଷଣାରୁ ଜଣାପଡ଼ିଛି ଯେ ଶିଶୁମାନେ ଅବହେଳା, ହିଂସା ଓ ନିର୍ଯାତନାର ସମ୍ମୁଖୀନ ହେଲେ ତାହା ତାଙ୍କ ମସ୍ତିଷ୍କ ଉପରେ ଗଭୀର ଚାପ ପକାଇଥାଏ । ନିୟମିତଭାବେ ଏହି ଚାପ ରହିଲେ ତାହା ସେମାନଙ୍କ ଶାରିରୀକ ଓ ମାନସିକ ସୁସ୍ଥତା ଉପରେ ପ୍ରଭାବ ପକାଇଥାଏ । ଏଣୁ ଶିଶୁମାନଙ୍କ ଲାଳନପାଳନ ପାଇଁ ପିତାମାତାଙ୍କ ସକାରାତ୍ମକ ଆଭିମୁଖ୍ୟ ରହିବା ଜରୁରୀ ।

କୋଭିଡ-୧୯ ଅଧୀନରେ ଶିଶୁ ସୁରକ୍ଷା ସେବାକୁ ଜରୁରୀ ସେବା ଘୋଷଣା କରାଯିବାର ଆବଶ୍ୟକତା ରହିଛି । ଓଡ଼ିଶା ମହିଳା ଓ ଶିଶୁ ବିକାଶ ସଚିବ ଅନୁ ଗର୍ଗ କହିଛନ୍ତି ଯେ ଘରେ ଘରେ ଅରୁଣିମା ନାମକ ଏକ ଘରୋଇ ପାଠ୍ୟକ୍ରମ ଅଙ୍ଗନବାଡିରେ ନାଁ ଲେଖାଇଥିବା ଛୋଟ ପିଲାଙ୍କ ପାଇଁ ଆରମ୍ଭ କରାଯାଇଛି । ଓଡ଼ିଶା ସରକାର ଓ ୟୁନିସେଫ ସହଯୋଗିତାରେ ଆରମ୍ଭ କରାଯାଇଥିବା ଏହି ପାଠ୍ୟକ୍ରମକୁ ସକାରାତ୍ମକ ସମର୍ଥନ ମିଳିଛି । କରୋନା ପରେ ମଧ୍ୟ ଏହା ଜାରି ରହିବ ବୋଲି ସେ କହିଛନ୍ତି । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ, ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।