ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି । ଆଜି ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏନେଇ ୯ଟି ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ୱେଲ ମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି । ଏହାର ପ୍ରଭାବରେ ରାଜ୍ୟର କେତେକ ଅଞ୍ଚଳରେ ଭୀଷଣ ବର୍ଷା ସମ୍ଭାବନା ରହିଛି । ଯାହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ ।

ରେଡ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡିକ ହେଲା:
ଆଜି ୯ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୨୪ ଘଣ୍ଚାରେ ୯ ଜିଲ୍ଲା ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, ଦେବଗଡ଼, ସୁନ୍ଦରଗଡ଼ ଓ ସୋନପୁର ଜିଲ୍ଲାରେ ଭୀଷଣ ବର୍ଷା ନେଇ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି ।
୭ ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଅନୁଗୁଳୁ, ନୂଆପଡ଼ା, ନବରଙ୍ଗପୁର, କେଉଁଝର, ଢେଙ୍କାନାଳ, ମଯୁରଭଞ୍ଜ ଓ କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ।
ଏହିସବୁ ଜିଲ୍ଲାର ତଳିଆ ଅଞ୍ଚଳରେ ଜଳମଗ୍ନ ସହ ଆକସ୍ମିକ ବନ୍ୟା ପରିସ୍ଥିତି ଉପୁଜିବାର ସମ୍ଭାବନା ରହିଛି । ମାଟିଘର ଓ ରାସ୍ତା ଭାଙ୍ଗିବା ସହ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ହେବାର ସମ୍ଭାବନା ରହିଛି । ଏହାସହ ୫ ଜିଲ୍ଲା କଟକ, ଯାଜପୁର, ବାଲେଶ୍ୱର, ମାଲାକାନଗିରି, କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ସହ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସମୁଦ୍ର ଅଶାନ୍ତ ସହ ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିବା ହେତୁ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜିବୀଙ୍କୁ ସମୁଦ୍ର ପ୍ରବେଶ ପାଇଁ ବାରଣ କରାଯାଇଛି । ଆସନ୍ତାକାଲି ଠାରୁ ଧୀରେ ଧୀରେ ପାଗରେ ପରିବର୍ତ୍ତନ ହେବା ନେଇ ଆକଳନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ସେପଟେ ମୌସୁମୀ ବାୟୁ ଆସିବା ପରଠୁ ଏପର୍ଯ୍ୟନ୍ତ ବଙ୍ଗୋପସାଗରରେ ମୋଟ ୭ଟି ଲଘୁଚାପ ସୃଷ୍ଟି ହୋଇଛି । ଜୁନ୍ ୧୧, ଜୁଲାଇ ୭ରେ ଲଘୁଚାପ ସୃଷ୍ଟି ହୋଇଥିଲା । ହେଲେ କେବଳ ଅଗଷ୍ଟ ମାସରେ ଏଯାଁଏ ୫ଟି ଲଘୁଚାପ ସୃଷ୍ଟି ହୋଇସାରିଲାଣି । ତା ସତ୍ତ୍ୱେ ରାଜ୍ୟରେ ସ୍ୱାଭାବିକଠାରୁ ୨ ପ୍ରତିଶତ କମ୍ ବର୍ଷା ହୋଇଛି। ଏଯାଁଏ ରାଜ୍ୟରେ ମୋଟ୍ ୮ ଶହ ୩୩ ଦଶମିକ ୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଅନ୍ୟ ଜିଲ୍ଲା ତୁଳନାରେ ଖୋର୍ଦ୍ଧାରେ ସର୍ବାଧିକ ୨୭ ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଛି ।
ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।